Categories: ଜାତୀୟ

ରାମାପ୍ପା ମନ୍ଦିରକୁ ବିଶ୍ୱ ଐତିହ୍ୟ ମାନ୍ୟତା

ହାଇଦ୍ରାବାଦ/ବେଜିଂ, ୨୬ା୭: ତେଲଙ୍ଗାନାର ମୁଗୁଲୁ ଜିଲାରେ ଥିବା ଐତିହାସିକ ତଥା ଦ୍ୱାଦଶ ଶତାବ୍ଦୀର କାକତିଆନ ସ୍ଥାପତ୍ୟ ରାମାପ୍ପା ମନ୍ଦିରକୁ ରବିବାର ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ଦେଇଛି। ବିଶ୍ୱ ଐତିହ୍ୟ କମିଟିର ୪୪ତମ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି। ତେଲଙ୍ଗାନାର କୌଣସି ସାଇଟ୍‌କୁ ଏହି ମାନ୍ୟତା ମିଳିବା ପ୍ରଥମ ବୋଲି କୁହାଯାଇଛି। ରୁଷିଆ, ଓମାନ, ବ୍ରାଜିଲ, ସାଉଦି ଆରବ, ଇଜିପ୍ଟ, ସ୍ପେନ୍‌, ଥାଇଲାଣ୍ଡ, ହଙ୍ଗେରୀ, ଇଥିଓପିଆ, ଚାଇନା ଏବଂ ଅନ୍ୟ ଦେଶଗୁଡ଼ିକ ରାମାପ୍ପାକୁ ଏକ ଉଲ୍ଲେଖନୀୟ ଐତିହ୍ୟ ସ୍ଥଳ ଭାବେ ବର୍ଣ୍ଣନା କରିବା ଏହା ଶ୍ରେଷ୍ଠ କଳାକାରଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ବୋଲି ଅଭିହିତ କରିଥିଲେ। ଏହି ସାଇଟ୍‌ର ସୁରକ୍ଷା ତଥା ସଂରକ୍ଷଣ ଦିଗରେ କାମ କରିଥିବାରୁ ତେଲଙ୍ଗାନାର ପରିଚାଳନା କମିଟିକୁ ବିଶ୍ୱ ଐତିହ୍ୟ କମିଟିର ସଦସ୍ୟମାନେ ପ୍ରଶଂସା କରିଥିଲେ।
ବିଶ୍ୱ ଐତିହ୍ୟ ତାଲିକାରେ ଦକ୍ଷିଣପୂର୍ବ ଚାଇନା ସହର କୁଆନ୍‌ଜୋହୁର ୨୨ଟି ସାଇଟ୍‌ ଓ ଏକ ମନ୍ଦିର ସ୍ଥାନିତ ହୋଇଛି। ଏହି ଐତିହ୍ୟ ସ୍ଥଳଗୁଡ଼ିକର ହିନ୍ଦୁ ଧର୍ମ ସହ ସଂଯୋଗ ରହିଛି। ‘କ୍ୱାନଜୋହୁ: ଏମ୍ପୋରିୟମ ଅଫ୍‌ ଦି ଓ୍ବାଲର୍‌ଡ ଇନ୍‌ ସୋଙ୍ଗ୍‌-ୟୁଆନ ଚାଇନା’କୁ ବିଶ୍ୱର ସର୍ବୋଚ୍ଚ ସାଂସ୍କୃିତକ ସଙ୍ଗଠନ ମାନ୍ୟତା ଦେଇଛି। ଚାଇନା ଫୁଜିଆନ୍‌ ପ୍ରଦେଶ ଏବଂ କୁଆନ୍‌ଜୋହୁ ସହରକୁ ଗୁରୁତ୍ୱପୂର୍ଣ୍ଣ ପ୍ରାଚୀନ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ର ଭାବରେ ପ୍ରୋତ୍ସାହିତ କରିଆସୁଛି। ସେଠାରେ ହଜାର ହଜାର ବର୍ଷ ପୂର୍ବରୁ ତାମିଲନାଡୁ ଅଧିବାସୀଙ୍କ ସମେତ ବହୁ ସାଂସ୍କୃତିକ ସମ୍ପ୍ରଦାୟ ଏକାଠି ହୋଇଥିଲେ। ତାମିଲନାଡୁ ସହିତ କୁଆନଜୋହୁର ପ୍ରାଚୀନ ସମ୍ପର୍କ ଥିବାରୁ ୨୦୧୯ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ତାମିଲନାଡ଼ୁ ଏବଂ ଫୁଜିଆନ ମଧ୍ୟରେ ‘ସିଷ୍ଟର-ଷ୍ଟେଟ୍‌’ ସମ୍ପର୍କ ସ୍ଥାପନ କରିବାକୁ ସ୍ଥିର କରିଥିଲେ।

Share