ବମ୍ବେ: ଚୁଲିରେ ରୋଷେଇ କରି ଚର୍ଚ୍ଚାରେ ଅଭିନେତ୍ରୀ ଦୀପିକା ଚିଖଲିଆ। ସୋସିଆଲ ମିଡିଆରେ ସେ ଏହାର ଏକ ଭିଡିଓ ଶେୟାର କରିବା ପରେ ତାହା ଭାଇରାଲ ହେଉଛି।
୨୦୨୦ରେ ‘ପୁଣି ଥରେ ଟେଲିକାଷ୍ଟ ହୋଇଥିଲା ରାମାୟଣ। ଏହାକୁ ନେଇ ଦୀପିକାଙ୍କ ଲୋକପ୍ରିୟତା ବଢ଼ିଥିଲା। ଟେଲି ପରଦାରେ ତାଙ୍କର ସୀତା ଭୂମିକାରେ ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିଲା। ଏଥିସହ ସୋସିଆଲ ମିଡିଆରେ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା।
ଦୀପିକା ଶେୟାର କରିଥିବା ଭିଡିଓରେ ସେ କାଠ ଜାଳି ଚୁଲିରେ ରାନ୍ଧୁଥିବା ଦେଖାଯାଇଛି। ଏହା ପ୍ରଶଂସକମାନଙ୍କୁ ରାମାୟଣରେ ସୀତାଙ୍କ ବନବାସ ଦିନକୁ ମନେ ପକାଇଛି। କିଛି ବ୍ୟବହାରକାରୀ ସେଭଳି ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କେହି କେହି ‘ସୀତା ବନବାସ ଦିନଗୁଡ଼ିକରେ ଏଭଳି ରୋଷେଇ କରୁଥିଲେ ବୋଲି କହୁଥିବା ବେଳେ ଆଉ କିଏ ‘କ’ଣ ସୀତା ପୁଣି ବନବାସରେ ଯାଇଛନ୍ତି ବୋଲି କହୁଛନ୍ତି।
କହିରଖୁଛୁ, ସାରା ଦେଶରେ ୨୦୨୦ ମାର୍ଚ୍ଚରେ ଲକ୍ଡାଉନ୍ ଘୋଷଣା ହେବା ପରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ବିଶ୍ୱରେ ସବୁଠାରୁ ଅଧିକ ଦେଖାଯାଇଥିବା ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପାଲଟିଥିଲା। ଏଥିସହ ଶୋ’ ଦୀପିକାଙ୍କ ସହ ଅରୁଣ ଗୋଭିଲ ଏବଂ ଅନ୍ୟ ଅଭିନେତାମାନଙ୍କୁ ପୁଣି ଥରେ ଲୋକପ୍ରିୟ ହେବାକୁ ସୁଯୋଗ ଦେଇଥିଲା।