ପୁଣି ଫେରିବ ରାମାୟଣ

ନୂଆଦିଲ୍ଲୀ,୧୪।୪: ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁଣି ଥରେ ପରଦାକୁ ଫେରୁଛି। ପ୍ରତିଦିନ ସନ୍ଧ୍ୟା ୭ଟାରେ ଷ୍ଟାର ଭାରତରେ ଏହାକୁ ପ୍ରସାରିତ କରାଯିବ। ଏନେଇ ବୁଧବାର ଷ୍ଟାର ଭାରତ ଟୁଇଟ କରି ଶୋ’ ବିଷୟରେ ସୂଚନା ଦେଇଛି। ସୂଚନାଯୋଗ୍ୟ, ଗତବର୍ଷ ଲକ୍‌ଡାଉନ ସମୟରେ ଦୂରଦର୍ଶନରେ ଏହି ଶୋ’କୁ ପ୍ରସାରିତ କରାଯାଇଥିଲା। ଲୋକମାନେ ଘରେ ନିଜ ପରିବାର ସହ ମିଶି ଏହି ଶୋ’ର ଆନନ୍ଦ ଉଠାଇଥିଲେ। ଯେତେବେଳେ ଲକ୍‌ଡାଉନ ସମୟରେ କେହି ଘରୁ ବାହାରକୁ ବାହାରୁ ନ ଥିଲେ ସେତେବେଳେ ଏହି ଶୋ’ର ଚାହିଦା ବେଶ୍‌ ବଢ଼ିଯାଇଥିଲା। କେବଳ ସେତିକି ନୁହେଁ ଏହି ଶୋ’ର ଟିଆରପି ମଧ୍ୟ ସମସ୍ତ ରେକର୍ଡକୁ ଭାଙ୍ଗିଦେଇଥିଲା। ଅନ୍ୟପଟେ ଏଥିରେ ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ, ସୀତା ଚରିତ୍ରରେ ଦୀପିକା ଓ ଲକ୍ଷ୍ମଣ ଚରିତ୍ରରେ ସୁନୀଲ ଲହରୀଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ସେହି ସମୟରେ ରାମାୟଣର ସମସ୍ତ କଳାକାର ପ୍ରଶଂସକଙ୍କ ଭଲପାଇବା ପାଇ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ହୋଇଯାଇଥିଲେ।

Share