Categories: ଜାତୀୟ

ଥରୁରଙ୍କୁ ଇଂରାଜୀ ଶିଖାଇଲେ ଅଠାୱଲେ!

ନୂଆଦିଲ୍ଲୀ,୧୧ ।୨: ନିଜର ଇଂରାଜୀ ଜ୍ଞାନ ଓ କଠିନ ଶବ୍ଦର ବ୍ୟବହାରକୁ ନେଇ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ବରିଷ୍ଠ ନେତା ଓ ତିରୁଭାନନ୍ତପୁରମର ଲୋକ ସଭା ଏମ୍‌ପି ଶଶି ଥରୁର ଏଥର ପୁଣି ସୋସିଆଲ ମିଡିଆରେ ହାଇଲାଇଟ ହୋଇଯାଇଛନ୍ତି । ହେଲେ ଏଥର କଠିନ ଇଂରାଜୀ ଶବ୍ଦକୁ ନେଇ ସେ ଚର୍ଚ୍ଚାକୁ ଆସିନାହାନ୍ତି ବରଂ ତାଙ୍କର ଇଂରାଜୀ ଶବ୍ଦରେ ସୁଧାର ଅଣାଇଛି । ସୂଚନାଯୋଗ୍ୟ, ଗୁରୁବାର ଶଶି ଥରୁର ବଜେଟକୁ ନେଇ ଦିଆଯାଇଥିବା ଭାଷଣ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କ ଉଦ୍ଦେଶ୍ୟରେ ଏକ ଫଟୋ ଶେୟାର କରିଥିଲେ । ଏହି ଫଟୋରେ ମନ୍ତ୍ରୀ ରାମଦାସ ଅଠାୱଲେ ବି ନଜର ଆସୁଥିଲେ । ହେଲେ ତାଙ୍କ ଚେହେରାରେ ସେ ଖୁବ୍ ବିବ୍ରତ ନଜର ଆସୁଥିଲେ । ଥରୁର ଫଟୋ ଶେୟାର କରି ଲେଖିଥିଲେ, ଦୁଇ ଘଣ୍ଟା ଚାଲିଥିବା ବଜେଟ ଅଧିବେଶନର ଜବାବରେ ଏହି ଫଟୋଟି ସବୁକିଛି କହୁଛି ।
ଥରୁରଙ୍କ ଏହି ଟୁଇଟ୍ ଦେଖିବା ପରେ ରାମଦାସ ଅଠାୱଲେ ଏହାର ପ୍ରତିକ୍ରିୟା ରଖିଛନ୍ତି । ଏହାସହ ଅନେକ ସୋସିଆଲ ମିଡିଆ ୟୁଜର୍ସ ବି ଏହାକୁ ନେଇ ରିଆକ୍ଟ କରିଛନ୍ତି । ଅଠାୱଲେ କହିଛନ୍ତି, ଥରୁରୁ ଜି ଆପଣ ‘Bydget’ ନୁହେଁ ‘Budget’ ଲେଖନ୍ତୁ ।
ସୂଚନାଯୋଗ୍ୟ, କଠିନ ଇଂରାଜୀ ଶବ୍ଦ ବ୍ୟବହାର କରିବାରେ ସିଦ୍ଧହସ୍ତ ଥିବା ଶଶି ଥରୁର ବିପକ୍ଷ ପାଇଁ ବେଳେ ବେଳେ ଏମିତି ଶବ୍ଦ ବ୍ୟବହାର କରନ୍ତି ଯାହା ପାଇଁ କେବଳ ନେତା ନୁହେଁ ସୋସିଆଲ ମିଡିଆ ୟୁଜର୍ସଙ୍କୁ ବି ଡିକ୍ସନରୀ ଦେଖିବାକୁ ପଡେ । ଯେମିତି ଗତ ବର୍ଷ ଭାଜପାକୁ ଟାର୍ଗେଟ କରି ଥରୁର  ‘Allodoxaphobia’ ଶବ୍ଦ ବ୍ୟବହାର କରିଥିଲେ । ହେଲେ ଏବେ ସାଧାରଣ ଶବ୍ଦକୁ ନେଇ ସେ ଅଠାୱଲେଙ୍କ ଶିକାର ହୋଇଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଫନି କମେଣ୍ଟ ବି ଆସୁଛି ।

Share