Categories: ଜାତୀୟ

ଆରମ୍ଭ ହେଲା ଶରଦ ପାଓ୍ବାରଙ୍କ ଖରାପ ଦିନ: ଅଠାଓ୍ବଲେ

ନୂଆଦିଲ୍ଲୀ,୯।୭: ମହାରାଷ୍ଟ୍ରରେ ଏନସିପିରେ ଫାଟ ପରେ ରାଜନୀତି ହୋଇଛି ସରଗରମ। ଏହି ରାଜାନୈତିକ ଘଟଣାକ୍ରମ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବିରୋଧୀ ଦଳ ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଛି। ଏବେ ରାଷ୍ଟ୍ରୀୟ ରିପବ୍ଲିକାନ ପାର୍ଟିର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ ଏନସିପିର ବିଦ୍ରୋହ ପାଇଁ ଶରଦ ପାଓ୍ବାର ଓ ଉଦ୍ଧବ ଠାକରେ ଦାୟୀ ବୋଲି କହିଛନ୍ତି।

ରବିବାର ରାମଦାସ ଅଠାଓ୍ବଲେ କହିଛନ୍ତି ଯେ ମହାରାଷ୍ଟ୍ର ରାଜନୀତିରେ ଆଜି ଯାହା ଘଟୁଛି ତାହା କେବଳ ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କ କାରଣରୁ ଘଟୁଛି। ଉଭୟ ଦଳର ମୁଖିଆ ନିଜ ଦଳକୁ ସଠିକ ଭାବରେ ଚଳାଇ ପାରିଲେ ନାହିଁ, ନଚେତ ଏହି ଦିନ ଆସି ନଥାନ୍ତା। ଏଥିପାଇଁ ଏବେ ଉଦ୍ଧବ ଠାକରେଙ୍କ ଖରାପ ଦିନ ଯେପରି ଚାଲିଛି, ସେମିତି ଶରଦ ପାୱାରଙ୍କ ଖରାପ ଦିନ ମଧ୍ୟ ଆରମ୍ଭ ହୋଇଗଲା।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏନଡିଏ ଶରଦ ପାୱାରଙ୍କୁ ସ୍ବାଗତ କରୁଛି। ଯଦି ସେ ପୂର୍ବରୁ ଏନଡିଏରେ ଯୋଗ ଦେଇଥାନ୍ତେ, ତେବେ ସେ ଆଜି ଅଧ୍ୟକ୍ଷ ହୋଇଯାଇଥାନ୍ତେ। ରାଷ୍ଟ୍ରବାଦୀ ପାର୍ଟିରେ ଶରଦ ପାୱାରଙ୍କ ଭୂମିକା ଭଲ ନଥିଲା, ସେଥିପାଇଁ ଦଳରେ ବିଭାଜନ ହୋଇଥିଲା। ବର୍ତ୍ତମାନ ଅଜିତ ପାୱାରଙ୍କ ସହ ବହୁତ ବିଧାୟକ ଅଛନ୍ତି ଏବଂ ବର୍ତ୍ତମାନ ମୁଁ ପ୍ରକୃତ ଏନସିପି ଅଜିତ ପାୱାରଙ୍କ ଦଳରେ ବିଶ୍ୱାସ କରୁଛି। ଶରଦ ପାୱାରଙ୍କର ତଥାପି ସମୟ ଅଛି, ଯଦି ସେ ଭୁଲକୁ ସଂଶୋଧନ କରନ୍ତି ତେବେ ଦଳ ଭାଙ୍ଗିବ ନାହିଁ ବୋଲି ଅଠାଓ୍ବଲେ କହିଛନ୍ତି।

Share