ନକଲି ଟିକାକରଣର ଶିକାର ହେଲା ଟିପ୍ସ ଇଣ୍ଡଷ୍ଟ୍ରି: ୩୬୫କର୍ମଚାରୀଙ୍କୁ ଟିକା ଦିଆଯିବା ପରେ ବି ମିଳିଲାନି ସାର୍ଟିଫିକେଟ

ମୁମ୍ବାଇ,୧୮।୬: ବର୍ତ୍ତମାନ ଦେଶରେ ନକଲି ଟିକାକରଣକୁ ନେଇ ଚର୍ଚ୍ଚା ଚୋର ଧରିଛି। ନିକଟରେ ମୁମ୍ବାଇର ହିରାନନ୍ଦାନୀ ସୋସାଇଟିରେ ୩୯୦ଜଣଙ୍କୁ ମିଛ ଟିକାକରଣ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଟିପ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ମାଲିକ ରମେଶ ତୌରାନି ଏହି ନକଲି ଟିକାକରଣ ସ୍କାମର ଶିକାର ହୋଇଛନ୍ତି। ମେ’ ୩୦ ଓ ଜୁନ ୩ରେ ରମେଶଙ୍କ କମ୍ପାନୀର ୩୬୫ କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ କାହାକୁ ବି ସାର୍ଟିଫିକେଟ ମିଳିପାରିନାହିଁ। ଏହାକୁ ନେଇ ରମେଶ ଚିନ୍ତିତ ଥିବା ବେଳେ ସେ କହିଛନ୍ତି, ଜୁନ ୧୨ ସୁଦ୍ଧା ମୁମ୍ବାଇର କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରୁ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କାହାରି ସାର୍ଟିଫିକେଟ ଆସିନାହିଁ। ୩୬୫ଜଣ କର୍ମଚାରୀଙ୍କ ଟିକାକରଣ କରାଯାଇଥିବା ବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ଡୋଜ ପିଛା ପାଇଁ ୧୨୦୦ ଟଙ୍କା ସହିତ ଜିଏସ୍‌ଟି ଦିଆଯାଇଥିଲା। ଟଙ୍କାଠାରୁ ଅଧିକ ଚିନ୍ତିତ କରୁଛି ଆମ ସମସ୍ତଙ୍କୁ କ’ଣ ଦିଆଯାଇଛି। ଆମକୁ କୋଭିଶିଲ୍ଡ ଟିକା ନା ସାଧାରଣ ସାଲାଇନ୍‌ ଓ୍ବାଟର ଦିଆଯାଇଛି ବୋଲି ରମେଶ ଚିନ୍ତା ପ୍ରକଟ କରିଛନ୍ତି।

Share