Categories: ଖେଳ

ସେମିଫାଇନାଲରେ ରାମେଶ୍ୱର

ଭୁବନେଶ୍ୱର,୯ା୨(କ୍ରୀଡ଼ା ପ୍ରତିନିଧି): କେଶୁରା ପଡ଼ିଆରେ ଚାଲିଥିବା ତୃତୀୟ ପଞ୍ଚାନନ ଜେନା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଅନୁଷ୍ଠିତ ଅନ୍ତିମ କ୍ୱାର୍ଟର ଫାଇନାଲରେ ଭୁବନେଶ୍ୱରର ମୁକ୍ତେଶ୍ୱର କ୍ରିକେଟ କ୍ଲବକୁ ୨୮ ରନରେ ହରାଇ ରାମେଶ୍ୱର ସ୍ପୋର୍ଟିଂ ସେମିଫାଇନାଲରେ ପ୍ରବେଶ କରିଛି। ଏଥିସହ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। କଟକର ଦୁଇ ଦଳ ରାଇଜିଂ ଷ୍ଟୁଡେଣ୍ଟ ଓ ସୋଲାର କ୍ରିକେଟ କ୍ଲବ ମଧ୍ୟରେ ପ୍ରଥମ ସେମିଫାଇନାଲ ଗୁରୁବାର ଅନୁଷ୍ଠିତ ହେବ।

ଟସ୍‌ଜିତି ବ୍ୟାଟିଂ କରିଥିବା ରାମେଶ୍ୱର ନିର୍ଦ୍ଧାରିତ ୪୦ ଓଭରରେ ୭ ଉଇକେଟ ହରାଇ ୩୦୭ ରନ କରିଥିଲା। ଦଳ ପକ୍ଷରୁ ସାରାଂଶ କୁମାର ସର୍ବାଧିକ ୭୮, ସମ୍ବିତ ବରାଳ ୭୬* ଓ ଏମ.ଜି. ଗୋପାଳ ୫୦ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ଶ୍ରୀରାଜ ପଟ୍ଟନାୟକ ୩ଟି ଓ ଶୁଭମ୍‌ ଶ୍ରୀ ୨ଟି ଉଇକେଟ ନେଇଥିଲେ। ୩୦୮ ରନ ବିଜୟ ଲକ୍ଷ୍ୟର ପିଛା କରି ମୁକ୍ତେଶ୍ୱର ୩୩.୩ ଓଭରରେ ୨୭୯ ରନ କରି ଅଲ୍‌ଆଉଟ ହୋଇ ଯାଇଥିଲା। ପ୍ରତୀକ ଦାସ (୧୩୯ ରନ, ୧୦୬ ବଲ) ଶତକ ହାସଲ କରିଥିଲେ ହେଁ ଦଳକୁ ଜିତାଇ ପାରି ନ ଥିଲେ। ବିଜୟୀ ଦଳର ନିରଞ୍ଜନ ଗୌଡ଼ ୪ଟି ଏବଂ ଜଗଦୀଶ ମହାନ୍ତି, ବିଶ୍ୱଜିତ ମଲିକ ଓ ଶୁଭ୍ରକାନ୍ତ ପରିଡ଼ା ୨ଟି ଲେଖାଏ ଉଇକେଟ ନେଇଥିଲେ। କ୍ରିକେଟ କୋଚ୍‌ ରାଧେଶ୍ୟାମ ନାୟକ ଅତିଥିଭାବେ ଯୋଗଦେଇ ଶତକୀୟ ଇନିଂସ ପାଇଁ ମୁକ୍ତେଶ୍ୱରର ପ୍ରତୀକ ଦାସଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଅମ୍ପାୟର ଶରତ ଚନ୍ଦ୍ର ସାହୁ ଓ ବିଭୁ ଚୌଧୁରୀ ମ୍ୟାଚ ପରିଚାଳନା କରିଥିଲେ।

Share