Categories: Uncategorized

ରାମନବମୀ ମହୋତ୍ସବ ଶୋଭାଯାତ୍ରାରେ ବାଜିବ ନି ଡିଜେ

ଭଦ୍ରକ ଅଫିସ,୧୦।୩: ଭଦ୍ରକ ରାମନବମୀ ମହୋତ୍ସବ ଉପଲକ୍ଷେ ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୩୩ ବର୍ଷରେ ପଦାର୍ପଣ କରିଥିବା ଏହି ମହୋତ୍ସବ ଉପଲକ୍ଷେ ଆସନ୍ତା ୧୨ ତାରିଖରେ ମାତୃଭୂମି ପାଇଁ ଗଣଦୌଡ଼, ୨୨ରେ ରାଷ୍ଟ୍ରୀୟ ନବବର୍ଷ ପାଳନ, ଗୋପୂଜନ ଓ ସାଧୁସନ୍ଥ ପୂଜନ, ୨୪ ଓ ୨୫ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୬ରେ ବାଲ ବଜରଙ୍ଗୀଙ୍କ ସାଇକେଲ ଶୋଭାଯାତ୍ରା, ୨୭ରେ ସାଂସ୍କୃତିକ କାର୍ଯ୍ୟକ୍ରମ, ୨୮ରେ ଆଜ୍ଞାମାଳ ଯାତ୍ରା ପରେ ମହିଳା କଳସ ଯାତ୍ରା ଓ ଶ୍ରୀରାମନବମୀ ଯଜ୍ଞ ଆରମ୍ଭ କରାଯିବ। ୨୯ରେ ୧୦୮ ହନୁମାନ ଚାଳିଶା ପାଠ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୩୦ରେ ଯଜ୍ଞ ପୂର୍ଣ୍ଣାହୁତି, ନଗର ସଂକୀର୍ତ୍ତନ ଶୋଭାଯାତ୍ରା ହେବ। ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ସହ ୨୬ରୁ ୩୦ ତାରିଖ ୫ଦିନ ଜିଲାରେ ମଦ ଦୋକାନ ବନ୍ଦ ରଖିବା, ପାନୀୟ ଜଳ ଯୋଗାଣ, ରାସ୍ତା ମରାମତି ସହ ଆଲୋକ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ, ଅଗ୍ନିଶମ ସେବା ବ୍ୟବସ୍ଥା ଆଦି ନେଇ ବିଭାଗୀୟ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମେଢ଼ ଶୋଭାଯାତ୍ରାରେ ଡିଜେ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ, ସାମାଜିକ ଗଣମାଧ୍ୟମର ଦୂରୁପଯୋଗ ପ୍ରତି ସତର୍କତା ଓ ସଚେତନତା ସୃଷ୍ଟି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।
ଏସ୍‌ପି ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲାପାଳ ରାମଦାସ ଟୁଡୁ, ଉପଜିଲାପାଳ ମନୋଜ ପାତ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ସହକାରୀ ଜିଲାପାଳ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ। ରାମ ନବମୀ ମହୋତ୍ସବ କମିଟି ସଭାପତି ରାୟ ରାମାନନ୍ଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମ୍ପାଦକ ଶରତ ଚନ୍ଦ୍ର ପଢ଼ିହାରୀ ପ୍ରମୁଖ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ମୁସ୍‌ଲିମ୍‌ ଜମାତ୍‌ ପକ୍ଷରୁ ସେକ୍‌ ଅନୱାର ହୋସେନ ଓ ଅବଦୁଲ ମୋକିତ୍‌ ଖଁା ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।