Categories: ଖେଳ

ରାମୋସଙ୍କ ହ୍ୟାଟ୍ରିକ୍‌: କ୍ୱାର୍ଟରରେ ପର୍ତ୍ତୁଗାଲ

ଦୋହା,୭।୧୨: ଫରଓ୍ବାର୍ଡ ଗୋନ୍ସାଲୋ ରାମୋସଙ୍କ ହ୍ୟାଟ୍ରିକ୍‌ ବଳରେ ଆତ୍ମବିଶ୍ୱାସ ଭରା ବିଜୟ ସହିତ କ୍ୱାର୍ଟରରେ ପ୍ରବେଶ କରିଛି ପର୍ତ୍ତୁଗାଲ। ଲୁସେଲ ଷ୍ଟାଡିୟମରେ ମଙ୍ଗଳବାର ଖେଳା ଯାଇଥିବା ରାଉଣ୍ଡ ଅଫ୍‌ ୧୬ର ଅନ୍ତିମ ମ୍ୟାଚରେ ରାମୋସ ଚଳିତ ବିଶ୍ୱକପର ପ୍ରଥମ ହ୍ୟାଟ୍ରିକ ଅର୍ଜନ କରିଥିବା ବେଳେ ୬-୧ରେ ସୁଇଜରଲାଣ୍ଡକୁ ପରାସ୍ତ କରିଛି ପର୍ତ୍ତୁଗାଲ। ସେ ପ୍ରଥମ ହାଫ୍‌ରେ ଗୋଟିଏ ଗୋଲ ମାରିଥିବା ବେଳେ ଦ୍ୱିତୀୟ ହାଫ୍‌ରେ ଦୁଇଟି ଗୋଲ ଦେଇଥିଲେ। ପର୍ତ୍ତୁଗାଲ ପକ୍ଷରୁ ରାମୋସ (୧୭, ୫୧ ଓ ୬୭) ମିନିଟରେ ଗୋଲ ସ୍କୋର କରିଥିବା ବେଳେ ପେପେ (୩୩), ରାଫେଲୋ ଗୁରିରିଓ(୫୫) ଓ ରାଫେଲ ଲିଏଓ (୯୦+୨) ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ମାନୁଏଲ ଆକାଞ୍ଜି ୫୮ ତମ ମିନିଟରେ ସ୍ବିଜରଲାଣ୍ଡ ପକ୍ଷରୁ ଏକମାତ୍ର ଗୋଲଟି ପରିଶୋଧ କରିଥିଲେ। ୪-୩-୩ କମ୍ବିନେଶନରେ ଓହ୍ଲାଇଥିବା ପର୍ତ୍ତୁଗାଲ ଷ୍ଟାର୍ଟିଂ ଲାଇନଅପ୍‌ରେ ରୋନାଲ୍ଡୋଙ୍କୁ ରଖି ନ ଥିଲା। ତେବେ ପେପେ ଓ ରାମୋସ୍‌ ଚିତାକର୍ଷକ ଆଟାକିଂ ଗେମ ଖେଳିଥିଲେ। ସୁଇଜରଲାଣ୍ଡ ମ୍ୟାଚର ୫୩% ସମୟ ବଲ ନିୟନ୍ତ୍ରଣରେ ରଖିଥିଲେ ହେଁ ମ୍ୟାଚ ଉପରେ ନିୟନ୍ତ୍ରଣ ରଖି ପାରି ନଥିଲା। ଅନ୍ତିମ ୧୦ ମିନିଟ ପାଇଁ ରୋନାଲ୍ଡୋ ପଡିଆକୁ ଆସିଥିଲେ ମଧ୍ୟ ସ୍କୋର କରି ପାରିନଥିଲେ। ୯୨ ବର୍ଷର ଫୁଟବଲ ବିଶ୍ୱକପ ଇତିହାସରେ ୪୯ ତମ ଖେଳାଳି ଭାବରେ ରାମୋସ୍‌ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ଏହା ସହିତ ପର୍ତ୍ତୁଗୀଜ ଖେଳାଳିଙ୍କ ମଧ୍ୟରେ ଏହା ପ୍ରଥମ ହ୍ୟାଟ୍ରିକ୍‌। ଶନିବାର ଡିସେମ୍ବର ୧୦ ତାରିଖରେ ମରକ୍କୋ ସହିତ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳିବ ପର୍ତ୍ତୁଗାଲ।

Share