କୋରାପୁଟ,୧୧।୬(ସ୍ବ.ପ୍ର.): ସାଇକେଲରେ ଯାତ୍ରା କରି ଲୋକଙ୍କୁ ସ୍ବଚ୍ଛ ଓ ପ୍ରଦ୍ୟୁଷଣମୁକ୍ତ ଭାରତ ଗଠନର ବାର୍ତ୍ତା ଦେଉଛନ୍ତି ରାମ ପ୍ରସାଦ ନସ୍କର (୩୫)। ପଶ୍ଚିମବଙ୍ଗର ରାମପ୍ରସାଦ ପେସାରେ ଜଣେ ଶିକ୍ଷକ ହୋଇଥିବା ବେଳେ ନିଶା ତାଙ୍କର ସାଇକେଲରେ ଭ୍ରମଣ କରି ଲୋକଙ୍କୁ ସ୍ବଚ୍ଛ, ପ୍ରଦ୍ୟୁଷଣମୁକ୍ତ ଭାରତ ଗଠନ ନେଇ ବାର୍ତ୍ତା ଦେବା। ଚଳିତ ଗ୍ରୀଷ୍ମଛୁଟିରେ ସାଇକେଲରେ ଯାତ୍ରାକରି ସେ ଏହି ବାର୍ତ୍ତା ଦେଇ ଲୋକଙ୍କୁ ପରିବେଶ ସୁରକ୍ଷା ନେଇ ସଚେତନ କରୁଛନ୍ତି। ଏପରି ସାଇକେଲରେ ଯାତ୍ରା କରି ବାର୍ତ୍ତା ବାଣ୍ଟିବା ରାମପ୍ରସାଦ ୨୦୧୪ରୁ ଜାରି ରଖିଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ସାଇକେଲରେ ଭାରତ, ବାଲାଂଦେଶ ଓ ନେପାଳ ଆଦି ଦେଶର ପ୍ରାୟ ୨୫ ହଜାର କିଲୋମିଟର ଯାତ୍ରା କରି ସାରିଥିବା କହିଛନ୍ତି। ଶନିବାର କୋରାପୁଟରେ ପହଞ୍ଚତ୍ ସେ ପରିବେଶ ସୁରକ୍ଷା ନେଇ ବାର୍ତ୍ତା ପ୍ରଚାର କରି ଥିଲେ। ତାଙ୍କର ଏପରି ନିଶାକୁ ସେମିଳିଗୁଡା ସମେତ ବିଭିନ୍ନ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ରାମପ୍ରସାଦ ଗତ ମେ ୨୨ରୁ ନିଜର ଏହି ଯାତ୍ରା ନିଜ ରାଜ୍ୟ ପଶ୍ଚିମବଙ୍ଗରୁ ଆରମ୍ଭ କରିଛନ୍ତି। ଇତି ମଧ୍ୟରେ ସେ ଶହେ କି.ମି. ସାଇକେଲରେ ଭ୍ରମଣ କରିସାରିଲେଣି। ଯାତ୍ରା ସମ୍ପୂର୍ଣ୍ଣ କରି ସେ ଘରକୁ ଫେରିବେ ବୋଲି କହିଛନ୍ତି ରାମପ୍ରସାଦ। ପ୍ରତ୍ୟେହ ବ୍ୟାପକ ପରିମାଣରେ ଗଛ କଟାଯାଉଥିବାରୁ ଏହାର ବ୍ୟାପକ ପ୍ରଭାବ ପରିବେଶ ଉପରେ ପଡୁଛି। ଏନେଇ ଜନସାଧାରଣ ସଚେତନ ନ ହେଲେ ଆଗକୁ ପରିବେଶ ସନ୍ତୁଳନ ବିଗିଡିଯିବ ବୋଲି ସେ କହିଛନ୍ତି।