Categories: ଜାତୀୟ

ରାଣା କପୁରଙ୍କୁ ଜାମିନ

ମୁମ୍ବାଇ,୧୭ା୨: ଋଣ ହେରଫେର ମାମଲାରେ ଜେଲରେ ଥିବା ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଜାମିନ ପାଇଛନ୍ତି। ମୁମ୍ବାଇର ଏକ ପିଏମ୍‌ଏଲ୍‌ଏ କୋର୍ଟ ସ୍ବତନ୍ତ୍ର ବିଚାରପତି ଏମ୍‌.ଜି. ଦେଶପାଣ୍ଡେ ବୁଧବାର ରାଣା, ଅବନ୍ଥା ଗ୍ରୁପ୍‌ର ଗୌତମ ଥାପର ଓ ଅନ୍ୟ ୭ ଅଭିଯୁକ୍ତଙ୍କୁ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ତେବେ ରାଣା ଓ ଗୌତମଙ୍କ ବିରୋଧରେ ଅନ୍ୟ କେତେକ ମାମଲା ବିଚାରାଧୀନ ଥିବାରୁ ଉଭୟେ ଏବେ ଜେଲରୁ ବାହାରିପାରିବେ ନାହିଁ।
ଏହି ମାମଲାରେ ୟେସ୍‌ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରାଣା କପୁର, ତାଙ୍କ ସ୍ତ୍ରୀ ବିନ୍ଦୁ କପୁର ଓ ଅଓ୍ବନ୍ଥା ଗ୍ରୁପ୍‌ ପ୍ରମୋଟର ଗୌତମ ଥାପର ସମ୍ପୃକ୍ତ। ୨୦୧୭ରୁ ୨୦୧୯ ମଧ୍ୟରେ ଅବନ୍ଥା ରିୟଲିଟି ଲିଃ (ଏଆର୍‌ଏଲ୍‌) ଅଧୀନ ହୋଲ୍ଡିଂ କମ୍ପାନୀ ଓୟଷ୍ଟର ବିଲ୍ଡଓ୍ବେଲ୍‌ ୟେସ୍‌ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନ ଥିଲା। ରାଣା ଏଆର୍‌ଏଲ୍‌କୁ ଋଣ ମଞ୍ଜୁର କରିବା ପାଇଁ ଲାଞ୍ଚ ଆକାରରେ ନୂଆଦିଲ୍ଲୀର ଶେର୍ଗିଲ ମାର୍ଗ ବଙ୍ଗଳାକୁ ଉକ୍ତ କମ୍ପାନୀଠାରୁ ୩୮୪ କୋଟି ଟଙ୍କାରେ ନେଇଥିଲେ, ଯାହାକି ପ୍ରକୃତ ବଜାର ମୂଲ୍ୟଠାରୁ ବହୁତ କମ୍‌। କେବଳ ଏତିକି ନୁହେଁ, ଏଆର୍‌ଏଲ୍‌ ଉପରେ ଋଣ ବକେୟା ଥାଇ ସୁଦ୍ଧା ସେ ଏହାକୁ ଅତିରିକ୍ତ ୨,୫୦୦ କୋଟି ଟଙ୍କାର କ୍ରେଡିଟ୍‌ ଫାସିଲିଟି ଦେଇଥିଲେ। ପରେ ସେ ଆହୁରି ୪୦୦ କୋଟି ଟଙ୍କାର ଋଣ ଦେଇଥିଲେ ବୋଲି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦର୍ଶାଇଥିଲା। ଏହି ମାମଲାରେ ଗତ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଣାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏହା ପୂର୍ବରୁ ଇଡି ଏନେଇ ରାଣା, ତାଙ୍କ ସ୍ତ୍ରୀ ଏବଂ ଗୌତମଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣି ଏକ ମନି ଲଣ୍ଡରିଂ ମାମଲା ଦାଏର କରିଥିଲା। ୟେସ୍‌ ବ୍ୟାଙ୍କ ଜାଲିଆତି ମାମଲା ସାମ୍ନାକୁ ଆସିବା ପରେ ୨୦୨୦ ମାର୍ଚ୍ଚରେ ରାଣା ଗିରଫ ହୋଇ ନଭି ମୁମ୍ବାଇର ତଲୋଜା ଜେଲରେ ଅଛନ୍ତି। ସେହିପରି ଗୌତମଙ୍କୁ ଦିଲ୍ଲୀର ତିହାର ଜେଲରେ ରଖାଯାଇଛି।

 

 

 

Share