ନୂଆଦିଲ୍ଲୀ,୯।୭ : ବେଆଇନ ଋଣ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋର୍ଦାର କରିଛି। ତାଙ୍କ ବିରୋଧରେ ଇଡି ବେଆଇନ ଅର୍ଥ କାରବାର ନିରୋଧୀ ଆଇନରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁବାର ରାଣା କପୁରଙ୍କ ୨୨୦୩ କୋଟିର ସମ୍ପତ୍ତିକୁ ଏହି ଏଜେନ୍ସି ଜବତ କରିଛି। ଏହାବାଦ୍ ଡିଏଚ୍ଏଫ୍ଏଲ୍ର ପ୍ରମୋଟର କପିଲ ଏବଂ ଧୀରଜ ଓ୍ବାଧଓ୍ବାନଙ୍କ କମ୍ପାନୀ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିଭଳି ଇଡି ରାଣା କପୁରଙ୍କ କିଛି ବିଦେଶୀ କମ୍ପାନୀ ଉପରେ ମଧ୍ୟ କଟକଣା ଲଗାଇଛି। ୟେସ୍ ବ୍ୟାଙ୍କରୁ ବୃହତ୍ ପରିମାଣର ଋଣ ପ୍ରଦାନ ଦ୍ୱାରା କପୁର ଅନୁକମ୍ପା ଲାଭ କରୁଥିବା ଇଡି ଏହାର ଅଭିଯୋଗରେ କହିଛି।
ଏହି ମାମଲାରେ ପ୍ରାୟ ୪,୩୦୦ କୋଟି ଟଙ୍କା ହେରଫେର କରାଯାଇଛି। ପ୍ରଦାନ କରାଯାଇଥିବା ଏହି ଋଣ ପରେ ଏନ୍ପିଏ ବୋଲି ଘୋଷଣା କରାଯାଇଥିଲା। କପୁରଙ୍କୁ ଇଡି ଚଳିତ ବର୍ଷ ମାର୍ଚ୍ଚରେ ଗିରଫ କରିଛି। ବର୍ତ୍ତମାନ ତାଙ୍କ ବିରୋଧରେ ନ୍ୟାୟିକ ପ୍ରକ୍ରିୟା ଜାରି ରହିଛି। ସୂଚନା ମୁତାବକ ଅମୃତା ସେରଗିଲ ମାର୍ଗରେ ଥିବା ବଙ୍ଗଳା ସହ ଲଣ୍ଡନ ଏବଂ ନ୍ୟୁୟର୍କର ସମ୍ପତ୍ତି ଜବତ ହୋଇଥିବା ଜଣାପଡିଛି। ଏଗୁଡିକର ମୂଲ୍ୟ ପ୍ରାୟ ୧୨୦୦ କୋଟି ଟଙ୍କା ହେବ। ଉକ୍ତ ମାମଲାରେ ଏହା ପ୍ରଥମ ବିଦେଶୀ ସମ୍ପତ୍ତି ଜବତ। ଏହା ପୂର୍ବରୁ ଉକ୍ତ ଏଜେନ୍ସି ୫୦ କୋଟି ଟଙ୍କାର ସ୍ଥାନୀୟ ସମ୍ପତ୍ତି ଜବତ କରିଥିଲା। ଏହାବାଦ୍ ଇଡି ଓ୍ବାଧଓ୍ବାନ ଭ୍ରାତାଙ୍କର ୧୪୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିବା ଜଣାପଡ଼ିଛି। ଭାରତ ଏବଂ ବିଦେଶରେ ସେମାନଙ୍କ ନାମରେ ରହିଥିବା ସମ୍ପତ୍ତି ଏଥିରେ ସାମିଲ ରହିଛି। ସମ୍ପତ୍ତିଗୁଡିକ ପୁଣେ, ଅଷ୍ଟ୍ରେଲିଆ, ନ୍ୟୁୟର୍କ ଏବଂ ଲଣ୍ଡନ ଭଳି ସ୍ଥାନରେ ରହିଛି।