ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ଲିମିଟେଡ୍ର ପୂର୍ବତନ ସିଇଓ ରାଣା କପୁରଙ୍କ ବିରୋଧରେ ୨ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତଦନ୍ତ ଉପଯୋଗୀ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନ ଦେବାରୁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ପକ୍ଷରୁ ରାଣାଙ୍କ ଉପରେ ୧କୋଟିର ଜରିମାନା ଲଗାଯାଇଛି। ସେହିଭଳି ରାଣାଙ୍କର ପ୍ରାୟ ୧୨୭ କୋଟିର ଆଲିସାନ ବଙ୍ଗଳାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଥିବା ଜଣାପଡିଛି। ବର୍ତ୍ତମାନ ୟେସ ବ୍ୟାଙ୍କ ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ରାଣାଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ବ୍ୟାଙ୍କର ବିଭିନ୍ନ ଶେୟାର ସମ୍ପର୍କରେ ତଥ୍ୟ ପ୍ରଘଟ ଘଟଣାକୁ ନେଇ ସେବି ନୋଟିସ କରିଥିଲେ ମଧ୍ୟ ସେ ଉକ୍ତ ନୋଟିସକୁ ହେୟଜ୍ଞାନ କରିଥିଲେ। ଏହି କାରଣରୁ ସେବି ଜରିମାନା ଲଗାଇଛି। ସେହିଭଳି ଅନ୍ୟ ନାମରେ ବେଆଇନ ସମ୍ପତ୍ତି ଠୁଳ ଏବଂ ଅନ୍ୟ ସଂସ୍ଥା ଜରିଆରେ ବିଦେଶରେ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିତ୍ବା ଜଣାପଡିଛି।