ସମାଲୋଚନାର ଶିକାର ହେଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ନାମ ନିକଟରେ ଅନଲାଇନ ଜୁଆ ଆପ ‘ମହାଦେବ ବୁକ’ରେ ସାମ୍ନାକୁ ଆସିଥିଲା। ଏହି ମାମଲାରେ ଯାଞ୍ଚ ପାଇଁ ଇଡି ପକ୍ଷରୁ ତାଙ୍କୁ ସମନ ପଠାଯାଇଥିଲା। ଅକ୍ଟୋବର ୬ରେ ଅଭିନେତାଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ରଣବୀର କପୁର ୨ସପ୍ତାହ ସମୟ ମାଗିଛନ୍ତି। ଏହି ଅଭିନେତାଙ୍କୁ ରାୟପୁରର ଇଡି ଶାଖା ସମ୍ମୁଖରେ ହାଜର ହେବାକୁ ପଡିବ।
ଏହି ସମୟରେ ରଣବୀର କପୁରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରଣବୀର ମୁମ୍ବାଇର ଏକ କ୍ଲିନିକ ଭିତରକୁ ଯାଉଥିବାର ନଜର ଆସିଛନ୍ତି। ଏହି ସମୟ ମଧ୍ୟରେ, ଯେତେବେଳେ ପାପାରାଜି ତାଙ୍କୁ ନାଁ ଧରି ଡାକିବା ଆରମ୍ଭ କରନ୍ତି, ରଣବୀର କପୁର ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରନ୍ତି। ସେ ପାପାରାଜିଙ୍କୁ କୁହନ୍ତି ‘ଭିତରକୁ ଆସ ନାହିଁ’ ଏବଂ ତା’ପରେ ସେ ଚାଲିଯାଆନ୍ତି।
ଏବେ ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଉପରେ ୟୁଜର୍ସ କମେଣ୍ଟ ଦେଉଛନ୍ତି। କେହି କେହି ତାଙ୍କର ଏଭଳି ବ୍ୟବହାର ସମାଲୋଚନା କରିବା ସହ କେହି କେହି ଏହାକୁ ସପୋର୍ଟ ବି କରୁଛନ୍ତି।
ସୂଚନାଯୋଗ୍ୟ, ମହାଦେବ ବେଟିଂ ଆପ ମାମଲାରେ ଏବେ ରଣବୀରଙ୍କ ପରେ ଇଡି ରାଡାରରେ ହୁମା କ୍ୟୁରେଶିଙ୍କ ସମେତ କେତେଜଣ ଷ୍ଟାର ଆସିଲେଣି। ଏଥିରେ ଇଡି ହୁମା କ୍ୟୁରେଶି, ଶ୍ରଦ୍ଧା କପୁର, ଟେଲିଭିଜନ ଆକ୍ଟ୍ରେସ ହିନା ଖାଁ ଓ ଟେଲିଭିଜନ ଦୁନିଆର ଜଣାଶୁଣା କମେଡିଆନ କପିଲ ଶର୍ମାଙ୍କୁ ବି ସମନ କରାଯାଇଛି।

Share