Categories: ଜାତୀୟ

ଝାଡଖଣ୍ଡ ରାଜନୀତିରେ ହୋଇପାରେ ପରିବର୍ତ୍ତନ, ଷଡଯନ୍ତ୍ର ରଚିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭାଉଜ

ରାଞ୍ଚି,୧ ।୪: ଏବେ ଝାଡଖଣ୍ଡ ରାଜନୀତି ହୋଇଛି ସରଗରମ । ଶାସକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧା ଡଜନ ବିଧାୟକ କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପତ୍ର ଲେଖି ଦଳର ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କ ଭାଉଜ ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଉଲ୍ଲେଖ କରିଛନ୍ତି । ସରକାରଙ୍କୁ ଅସ୍ଥିର କରିବା ପାଇଁ ଏହାର ମାଷ୍ଟରମାଇଣ୍ଡ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବହିସ୍କୃତ କୋଷାଧ୍ୟକ୍ଷ ରବି କେଜରିୱାଲ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଅଶୋକ ଅଗ୍ରୱାଲ ରହିଛନ୍ତି । କେଜରିୱାଲ ଓ ଅଗ୍ରୱାଲ ଜେଏମଏମ ବିଧାୟକ ସୀତା ସୋରେନଙ୍କ ବାସଭବନରେ ସାକ୍ଷାତ୍ କରିବାକୁ ଫୋନ ଯୋଗେ ବିଧାୟକମାନଙ୍କୁ କହୁଛନ୍ତି । ସେଠାର ବିଧାୟକମାନଙ୍କୁ ସରକାର ଭାଙ୍ଗିବା ଓ ଭାରତୀୟ ଜନତା ପାର୍ଟି(ଭାଜପା)କୁ ସମର୍ଥନ ଦେବାକୁ ଚାପ ପକାଯାଉଥିବା କୁହାଯାଉଛି । ଅସ୍ଥିରତା ପରେ ନୂତନ ସରକାର ଗଠନ ହେଲେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକମାନଙ୍କୁ ମନ୍ତ୍ରୀ ପଦ ଦିଆଯିବାର ପ୍ରଲୋଭନ ମଧ୍ୟ ଦେଖାଯାଉଛି ।

Share