Categories: ଜାତୀୟ

କେବେ ଖୋଲିବ ମୋଦିଙ୍କ ନାଲି ଆଖି: କଂଗ୍ରେସ

ନୂଆଦିଲ୍ଲୀ,୩୧।୮: ଭାରତ-ଚାଇନା ସୀମା ବିବାଦକୁ ନେଇ ଏବେ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଅଗଷ୍ଟ ୨୯-୩୦ରେ ଚାଇନା ସେନା ଦେଶର ସୀମାରେ ପ୍ରବେଶ ଉଦ୍ୟମ କରୁଥିବା ଜଣାପଡିବା ପରେ ଏବେ ମୋଦିଙ୍କୁ ଘେରିଛି କଂଗ୍ରେସ। ଚାଇନା ସେନାଙ୍କ ପ୍ରବେଶ ଯୋଜନାକୁ ଭାରତୀୟ ସେନା ପଣ୍ଡ କରିଦେବା ପରେ ସୋମବାର କଂଗ୍ରେସ କହିଛି ଯବାନ ମାଟି ମା’ର ସେବା କରିବାକୁ ସଦା ଜାଗ୍ରତ ରହିଛନ୍ତି। ହେଲେ ଚାଇନା ବାରମ୍ବାର ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ କେବେ ପ୍ରଧାନମନ୍ତ୍ରୀଙ୍କ ନାଲି ଆଖି ଖୋଲିବ ବୋଲି କଂଗ୍ରେସ ପ୍ରଶ୍ନ କରିଛି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜଓ୍ବୋଲା ଟୁଇଟ୍‌ କରି ଏହି ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ)ର ସେନା ପ୍ରଥମେ ଭାରତ-ଚାଇନା ମଧ୍ୟରେ ଯେଉଁ କଥାବାର୍ତ୍ତା ହୋଇଥିଲା ତା’ର ଉଲ୍ଲଂଘନ କରି ପୂର୍ବ ଲଦ୍ଦାଖରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ଏହାପରେ ଭାରତୀୟ ସେନା ପୋଙ୍ଗଙ୍ଗ ହ୍ରଦ ଅଞ୍ଚଳରେ ଚାଇନା ସେନାଙ୍କ ପ୍ରବେଶକୁ ଅଟକାଇ ଦେଇଥିଲେ। ହେଲେ ଏହାକୁ ଚାଇନା ସେନା ଖାତିର ନ କରିବାକୁ ବାଧ୍ୟହୋଇ ଭାରତୀୟ ଯବାନ ଆକ୍ରମଣ କରିବାକୁ ଉଦ୍ୟତ ହେବାରୁ ଉଭୟଙ୍କ ମଧ୍ୟରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ତେବେ ଚାଇନାର ବାରମ୍ବାର ଏଭଳି ବ୍ୟବହାରକୁ ନେଇ ରାଜନୀତି ହେଉଛି ସରଗରମ।

Share