ବାଲିଗୁଡ଼ା,୧୦ା୨(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଜଙ୍ଗଲ ଡିଭିଜନ ଅନ୍ତର୍ଗତ କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ମିଳିତ ଚଢ଼ାଉ କରିଥିବା ଜଣାପଡିଛି। କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀଙ୍କ କ.ନୂଆଗାଁ କାର୍ଯ୍ୟାଳୟ, ଭଞ୍ଜନଗର, ବୌଦ୍ଧ, ଘର ସମେତ ଗଞ୍ଜାମ ଓ ଗାଙ୍ଗପୁରରେ ଥିବା ୨ ସମ୍ପର୍କୀୟ ଘରେ ମଧ୍ୟ ଚଢ଼ାଉ ଚାଲିଛି। ଏହି ଭଳି ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ। ରେଞ୍ଜରଙ୍କ ବିରୋଧରେ ଦୁର୍ନୀତି ଓ ସରକାରୀ ଅର୍ଥ ତୋଷରପାତ ନେଇ ବହୁ ଅଭିଯୋଗ ରହିଥିଲା। ଫଳରେ ଗୁରୁବାର ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଛି। ଭିଜିଲାନ୍ସ ଅଧିକାରୀମାନେ ବ୍ୟାଙ୍କ ପାସ୍ବୁକ୍, ଜରୁରୀ କାଗଜପତ୍ର ଆଦି ଜବତ କରିଛନ୍ତି। ତେବେ ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଭିଜିଲାନ୍ସ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ୪ଜଣ ଡିଏସ୍ପି ଓ ୭ଜଣ ଇନ୍ସପେକ୍ଟର ସାମିଲ ଥିବା ଜଣାପଡ଼ିଛି।