୩ ଜିଲାରେ ଜମି କିଣିଛି ରଙ୍ଗିଲା ସତ୍ୟଜିତ

ଭୁବନେଶ୍ୱର,୧୧ା୮(ସୂର୍ଯ୍ୟକାନ୍ତ ବେହେରା): ମିଥ୍ୟା ପରିଚୟ ଦେଇ ବହୁ ମହିଳାଙ୍କୁ ବିବାହ ବାହାନାରେ ଲକ୍ଷ ଲକ୍ଷ ଟଙ୍କା, ଗାଡ଼ି ଆଦି ଠକିଥିବା ସତ୍ୟଜିତ ସାମଲଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ। ଶନିବାର ସକାଳେ ତାଙ୍କୁ ଝାରପଡ଼ା ଜେଲରୁ ଆଣିବା ପରେ ମାରାଥନ ଜେରା ଚାଲିଛି। ତେବେ ଜେରା ବେଳେ ପୋଲିସ ଏହି ରସିକିଆ ଠକଙ୍କ ସାମ୍ରାଜ୍ୟର ଆଉ ଏକ ନୂଆ ତଥ୍ୟ ପାଇଛି। ଅଭିଯୁକ୍ତ ସତ୍ୟଜିତ ପୁରୀ ମାଳତିପାଟପୁରରେ ଏକ ଜମି କିଣିଥିବା ତଦନ୍ତ ବେଳେ ଜଣାପଡିଛି। ତେଣୁ ଏହି ଜମିର ସବିଶେଷ ତଥ୍ୟ ଦେବା ସହ ତାହାକୁ ଫ୍ରିଜ୍‌ କରିବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଚିଠି ଲେଖାଯାଇଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସେହିପରି କଟକ, ଭୁବନେଶ୍ୱର ଓ ଯାଜପୁରରେ ସତ୍ୟଜିତ ଜମି କିଣିଥିବା ସନ୍ଦେହ କରାଯାଉଥିବାରୁ ପୋଲିସ ଅଧିକ ଖୋଳତାଡ ଜାରି ରଖିଛି। ସେହିପରି ସତ୍ୟଜିତଙ୍କଠାରୁ ଜବତ ପାସ୍‌ପୋର୍ଟକୁ ନେଇ ମଧ୍ୟ ତଦନ୍ତ ଚାଲିଛି। ସତ୍ୟଜିତ ଗତ ୩ ବର୍ଷ ଭିତରେ କେଉଁ ଦେଶକୁ ଯାଇଛନ୍ତି, ଏବାବଦକୁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ସେସବୁ ଟଙ୍କା ଆଉ କାହାଠାରୁ ଆଣିଛନ୍ତି, ତାହାର ତଥ୍ୟ ଜାଣିବା ପାଇଁ ଉଦ୍ୟମ ଚାଲିଛି। ଅନ୍ୟପକ୍ଷରେ ଜବତ ହୋଇଥିବା ନଗଦ ଟଙ୍କା ସହ ସତ୍ୟଜିତଙ୍କ ମୋଟ ୩୮ ଲକ୍ଷ ଟଙ୍କାର ସମ୍ପତ୍ତି ଫ୍ରିଜ୍‌ ହୋଇସାରିଛି। ଏବେ ଜମି ମିଳିଥିବାରୁ ଆଗକୁ ଆହୁରି ଅଧିକ ସମ୍ପତ୍ତି ଫ୍ରିଜ୍‌ ପାଇଁ ପଦକ୍ଷେପ ନିଆଯିବ। ଏଯାବତ୍‌ ସତ୍ୟଜିତଙ୍କ ବିରୋଧରେ ଠକେଇର ଶିକାର ହୋଇଥିବା ୩ଜଣ ମହିଳା କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ସମ୍ମାନ ହାନି ଆଶଙ୍କାରେ ଅନ୍ୟ ମହିଳାମାନେ ଆଗକୁ ଆସିବାକୁ ଚାହୁଁ ନ ଥିବାରୁ ସେମାନଙ୍କ ସହ ସ୍ବତନ୍ତ୍ର ପୋଲିସ ଟିମ୍‌ ଯୋଗଯୋଗରେ ଥିବା ସୂଚନା ଦିଆଯାଇଛି।
ଘଟଣାରୁ ପ୍ରକାଶ ଯେ, ସତ୍ୟଜିତ ନିଜକୁ ପୋଲିସ, ସିବିଆଇ ଅଫିସର ଭଳି ଭିନ୍ନ ଭିନ୍ନ ପରିଚୟ ଦେଇ ମାଟ୍ରିମୋନିଆଲ ସାଇଟରେ ୪୯ରୁ ଅଧିକ ମହିଳାଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ବହୁ ମହିଳାଙ୍କ ସହ ବିବାହ ଏଗ୍ରିମେଣ୍ଟ କରି ଶାରୀରିକ ସମ୍ପର୍କ ରଖିବା ସହ ଠକେଇ କରିଥିଲେ। ତେବେ କ୍ୟାପିଟାଲ ଥାନାରେ ଏତଲା ଦେଇଥିବା ୩ଜଣ ମହିଳାଙ୍କ ମଧ୍ୟରୁ ସତ୍ୟଜିତ୍‌ ଜଣଙ୍କଠାରୁ ୩୬ଲକ୍ଷ ଟଙ୍କା ଓ କାର୍‌ ନେଇଥିବାବେଳେ ଅନ୍ୟଜଣଙ୍କଠାରୁ ୮ଲକ୍ଷ ଟଙ୍କା ଓ ଏକ ବୁଲେଟ ଠକି ନେଇଛନ୍ତି। ସେହିଭଳି ବ୍ରହ୍ମପୁରର ଜଣେ ମହିଳାଙ୍କଠାରୁ ୧.୬୦ ଲକ୍ଷ ଟଙ୍କା ନଗଦ ଆକାରରେ ନେଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ତେବେ ପ୍ରଥମ ଦୁଇ ମହିଳାଙ୍କ ଅଭିଯୋଗ ପରେ ସତ୍ୟଜିତ୍‌ଙ୍କୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ।

Share