ଗୋଟାବାୟାଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପଦ ସମ୍ଭାଳିବେ ରାନିଲ

ଲମ୍ବୋ,୧୫ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଇସ୍ତଫା ଦେବା ପରେ ବିକ୍ଷୋଭକାରୀମାନେ ଅତ୍ୟଧିକ ଆନନ୍ଦିତ ହୋଇଛନ୍ତି। ତାଙ୍କ ଇସ୍ତଫା ଶ୍ରୀଲଙ୍କା ପାର୍ଲମେଣ୍ଟ ବାଚସ୍ପତି ମହିନ୍ଦା ୟାପା ଆବ୍‌ୟଓ୍ବେର୍ଦେନା ଗ୍ରହଣ କରିଛନ୍ତି। ଗୁରୁବାର ଇ-ମେଲ୍‌ ଜରିଆରେ ବାଚସ୍ପତିଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ ଗୋଟାବାୟା।

ଗୋଟାବାୟା ଦେଶର ପ୍ରଥମ ରାଷ୍ଟ୍ରପତି ଯିଏକି ୧୯୭୮ରେ ଶ୍ରୀଲଙ୍କା ରାଷ୍ଟ୍ରପତି ବ୍ୟବସ୍ଥା ଲାଗୁ କରିବା ପରେ ଏହି ଉପାୟରେ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ କୁହାଯାଉଥିଲା ଯେ, ଏହାକୁ ପ୍ରଥମେ ଯାଞ୍ଚ କରାଯିବ ଏବଂ ଏହାର ଆଇନଗତ ବୈଧତା ମଧ୍ୟ ଯାଞ୍ଚ କରାଯିବ। ଏହା ପରେ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। କିନ୍ତୁ ବର୍ତ୍ତମାନ ତାଙ୍କ ଇସ୍ତଫା ଗ୍ରହଣ ଘୋଷଣା ହେବା ପରେ ଶ୍ରୀଲଙ୍କାରେ ରାଜନୈତିକ ପରିସ୍ଥିତି କ’ଣ ହେବ ବୋଲି ପ୍ରଶ୍ନ ଉଠିଛି।

 

ବର୍ତ୍ତମାନ ରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କରାଯାଇଛି, ତେବେ ନୂତନ ରାଷ୍ଟ୍ରପତି ଚୟନ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଏହାପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ଥିବା ରାନିଲ ଓ୍ବିକ୍ରମସିଂଘେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଜଣେ ନୂତନ ରାଷ୍ଟ୍ରପତି ନିର୍ବାଚିତ ନ ହେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ।

ଏକ ରିପୋର୍ଟ ଅନୁଯାୟୀ, ବାଚସ୍ପତି ୟାପା ଏ ସମ୍ପର୍କରେ ଏକ ବିବୃତ୍ତି ଏବଂ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଅନୁଯାୟୀ, ସେ ଶ୍ରୀଲଙ୍କାର ସମ୍ବିଧାନର ଧାରା ୩୮.୧ ଅନୁଯାୟୀ ଗୋଟାବାୟାଙ୍କ ଇସ୍ତଫା ପାଇଛନ୍ତି। ଏହା ୧୪ ଜୁଲାଇ ୨୦୨୨ରୁ ପ୍ରଯୁଜ୍ୟ ବୋଲି ଧରାଯିବ। ଏହା ସହିତ ଏକ ନୂତନ ରାଷ୍ଟ୍ରପତି ଚୟନ ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇପାରିବ। ସେପର୍ଯ୍ୟନ୍ତ, ସମ୍ବିଧାନ ଅନୁଯାୟୀ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ପାଖରେ ରାଷ୍ଟ୍ରପତିଙ୍କ କ୍ଷମତା ରହିବ।

Share