Categories: ଖେଳ

ରଣଜୀ ଫାଇନାଲ: ଦୃଢ଼ ସ୍ଥିତିରେ ସୌରାଷ୍ଟ୍ର

କୋଲକାତା,୧୭ା୨(ପି.ଟି):ଐତିହାସିକ ଇଡେନ ଗାର୍ଡେନ୍ସରେ ଗୁରୁବାର ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ ଆରମ୍ଭ ହୋଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ସୌରାଷ୍ଟ୍ର ଦୃଢ ସ୍ଥିତିରେ ରହିଛି। ସୌରାଷ୍ଟ୍ର ପାଇଁ ଗ୍ରୀନ୍‌ ଟ୍ରାକ ପ୍ରସ୍ତୁତ କରିବା ବେଙ୍ଗଲ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ଦୁଇ ବାମହାତୀ ପେସ୍‌ ବୋଲର ଜୟଦେବ ଉନାଡକଟ ଓ ଚେତନ ସାକାରିୟାଙ୍କ ଘାତକ ବୋଲିଂ ବଳରେ ବେଙ୍ଗଲକୁ ମାତ୍ର ୧୭୪ ରନରେ ସୀମିତ ରଖିଥିଲା ସୌରାଷ୍ଟ୍ର। ଜବାବରେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୨ ଉଇକେଟ ହରାଇ ୮୧ ରନ୍‌ ସଂଗ୍ରହ କରିଛି। ଟସ୍‌ ଜିତି ବୋଲିଂ କରିଥିବା ସୌରାଷ୍ଟ୍ର ପକ୍ଷରୁ ଉନାଡକଟ, ସାକାରିୟା ଓ ଚିରାଗ ଜାନି ଘାତକ ବୋଲିଂ କରିଥିଲା। ଟପ୍‌ ଅର୍ଡରରେ ସୁମନ୍ତ ଗୁପ୍ତା(୧), ଅଭିମନ୍ୟୁ ଈଶ୍ୱରନ୍‌(୦) ଓ ସୁଦୀପ ଘରାମି(୦) ଦୁଇ ଓଭର ମଧ୍ୟରେ ପ୍ୟାଭିଲିୟନ୍‌ ଫେରିଥିଲେ। ବେଙ୍ଗଲ ୬୬ ରନରେ ୬ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ସ୍ପିନ ବୋଲିଂ ଅଲରାଉଣ୍ଡର ଶାହବାଜ ଅହମଦ(୬୯) ଓ ଉଇକେଟ କିପର ଅଭିଷେକ ପୋରେଲ(୫୦)ଙ୍କ ମଧ୍ୟରେ ସପ୍ତମ ଉଇକେଟରେ ୧୦୧ ରନ୍‌ର ଭାଗିଦାରି ହେବାରୁ ଦଳ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା। ବେଙ୍ଗଲ ୫୪.୧ ଓଭରରେ ୧୭୪ ରନରେ ଅଲଆଉଟ ହୋଇଥିଲା। ଜୟଦେବ ଉନାଡକଟ ଓ ଚେତନ ସାକାରିୟା ୩ଟି ଲେଖାଏ ଉଇକେଟ ନେଇଥିବା ବେଳେ ଚିରାଗ ଜାନି ଓ ଧର୍ମେନ୍ଦ୍ର ସିଂ ଜାଡେଜା ୨ଟି ଲେଖାଏ ଉଇକେଟ ନେଇଥିଲେ।
ଜବାବରେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ସୌରାଷ୍ଟ୍ର ହାତରେ ୮ ଉଇକେଟ ଥିବା ବେଳେ ଦଳ ୯୩ ରନ୍‌ ପଛରେ ରହିଛି। ଓପନର ତଥା ଉଇକେଟ କିପର ହାର୍ଭିକ୍‌ ଦେଶାଇ ୩୮ ଓ ନାଇଟ ଓ୍ବାଚମ୍ୟାନ ଚେତନ ସାକାରିୟା ୨ ରନ୍‌ରେ କ୍ରିଜରେ ଉପସ୍ଥିତ ଅଛନ୍ତି। ଜୟ ଗୋହିଲ୍‌ ୬ ଓ ବିଶ୍ୱରାଜ ଜାଡେଜା ୨୫ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଛନ୍ତି। ଆକାଶ ଦୀପ୍‌ ଓ ମୁକେଶ କୁମାର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି।
ସଂକ୍ଷିପ୍ତ ସ୍କୋର
ବେଙ୍ଗଲ ପ୍ରଥମ ଇନିଂସ-୫୪.୧ ଓଭରରେ ୧୭୪/୧୦(ଶାହବାଜ ଅହମଦ-୬୯, ଅଭିଷେକ ପୋରେଲ୍‌-୫୦, ଆକାଶ ଘଟକ-୧୭, ଚେତନ ସାକାରିୟା-୩/୩୩, ଜୟଦେବ ଉନାଡକଟ-୩/୪୪, ଧର୍ମେନ୍ଦ୍ର ସିଂ ଜାଡେଜା-୨/୧୯)। ସୌରାଷ୍ଟ୍ର ପ୍ରଥମ ଇନିଂସ-୧୭ ଓଭରରେ ୮୧/୨ (ହାର୍ଭିକ ଦେଶାଇ-୩୮*, ବିଶ୍ୱରାଜ ଜାଡେଜା-୨୫, ମୁକେଶ କୁମାର-୧/୨୩, ଆକାଶ ଦୀପ୍‌-୧/୨୮)।

Share