Categories: ଖେଳ

ରଣଜୀ ଟ୍ରଫି ଫାଇନାଲ: ଦୃଢ଼ ସ୍ଥିତିରେ ସୌରାଷ୍ଟ୍ର

କୋଲକାତା,୧୯ା୨: କୋଲକାତାର ଇଡେନ ଗାର୍ଡେନରେ ଅନୁଷ୍ଠିତ ଟାଇଟଲ ମୁକାବିଲାରେ ଦ୍ୱିତୀୟ ଥର ପାଇଁ ରଣଜୀ ଟ୍ରଫି ଦାବିଦାରୀକୁ ଦୃଢ କରିଛି ସୌରାଷ୍ଟ୍ର। ପ୍ରଥମ ଇନିଂସରେ ୨୩୦ ରନର ବୃହତ ବ୍ୟବଧାନର ଅଗ୍ରଣୀ ହାସଲ କରିବା ପରେ ଚତୁର୍ଥ ଦିନ ଶେଷ ସୁଦ୍ଧା ବେଙ୍ଗଲ ୪ ଉଇକେଟରେ ୧୫୯ ରନ୍‌ ସଂଗ୍ରହ କରିଛି। ଅଧିନାୟକ ମନୋଜ ତିଓ୍ବାରୀ ୫୭ ରନରେ ବ୍ୟାଟିଂ କରୁଥିବା ବେଳେ ବେଙ୍ଗଲ ୬୧ ରନରେ ପଛୁଆ ରହିଛି। ପେସ୍‌ ବୋଲିଂକୁ ସହାୟତା ଦେଉଥିବା ଟ୍ରାକରେ ସୌରାଷ୍ଟ୍ର ବୋଲରଙ୍କୁ ସଫଳତା ମିଳିଥିବା ବେଳେ ବେଙ୍ଗଲର ବୋଲର ପ୍ରଭାବହୀନ ରହିଥିଲେ। ତୃତୀୟ ଦିନର ଅସମାପ୍ତ ସ୍କୋର ୩୧୭/୫ରୁ ଖେଳ ଆରମ୍ଭ କରି ସୌରାଷ୍ଟ୍ର ବ୍ୟାଟର ଆଉ ୮୭ ରନ୍‌ ଯୋଡିଥିଲେ। ଅର୍ପିତ ବାସବଦା ୮୧ ଓ ଚିରାଗ ଜାନି ୬୦ ସଅଳ ଆଉଟ ହୋଇଥିଲେ ହେଁ ଟେଲ ଏଣ୍ଡର ପ୍ରେରକ ମଙ୍କଡ(୩୩) ଓ ଧର୍ମେନ୍ଦ୍ର ସିଂ ଜାଡେଜା(୨୯) ଉପଯୋଗୀ ରନ୍‌ କରିଥିଲେ। ଏହା ବ୍ୟତୀତ ବେଙ୍ଗଲର ବୋଲର ୩୫ ଅତିରିକ୍ତ ରନ୍‌ ବ୍ୟୟ କରିଥିଲେ। ବେଙ୍ଗଲର ଦ୍ୱିତୀୟ ଇନିଂସରେ ପୁନର୍ବାର ବିପର୍ଯ୍ୟୟ ଘଟାଇଥିଲେ ଚେତନ ସାକାରିୟା ଓ ଜୟଦେବ ଉନାଡକଟ। ଉଭୟ ୨-୨ ଉଇକେଟ ନେଇଥିବା ବେଳେ ବେଙ୍ଗଲ ୪୭ ରନରେ ୩ ଉଇକେଟ ହରାଇଥିଲା। ଅନୁସ୍ତୂପ ମଜୁମଦାର(୬୧) ଓ ମନୋଜ ତିଓ୍ବାରୀ(୫୭*)ଙ୍କ ମଧ୍ୟରେ ୯୯ ରନ୍‌ ଭାଗିଦାରୀ ହୋଇଥିଲା। ଦଳୀୟ ସ୍କୋର ୧୪୬ରେ ମଜୁମଦାରଙ୍କୁ ଆଉଟ କରିଥିଲେ ଉନାଡକଟ। ଷ୍ଟମ୍ପ ଅପସାରଣ ବେଳକୁ ବେଙ୍ଗଲର ଶେଷ ମାନ୍ୟତାପ୍ରାପ୍ତ ଯୋଡି ଭାବରେ କ୍ରିଜରେ ଅଛନ୍ତି ମନୋଜ ତିଓ୍ବାରୀ ଓ ଶାହବାଜ ଅହମଦ।

ସଂକ୍ଷିପ୍ତ ସ୍କୋର
ବେଙ୍ଗଲ ପ୍ରଥମ ଇନିଂସ: ୧୭୪/୧୦
ସୌରାଷ୍ଟ୍ର ପ୍ରଥମ ଇନିଂସ: ୧୧୦ ଓଭରରେ ୪୦୪/୧୦(ଅର୍ପିତ ବାସବଦା-୮୧, ଚିରାଗ ଜାନି-୬୦, ଶେଲଡନ-ଜ୍ୟାକସନ୍‌-୫୯, ମୁକେଶ କୁମାର-୪/୧୧୧, ଆକାଶ ଦୀପ୍‌-୩/୧୧୧, ଇଶାନ ପୋରେଲ୍‌-୩/୮୬)
ବେଙ୍ଗଲ ଦ୍ୱିତୀୟ ଇନିଂସ- ୫୩ ଓଭରରେ ୧୬୯/୪(ଅନୁସ୍ତୂପ ମଜୁମଦାର-୬୧, ମନୋଜ ତିଓ୍ବାରୀ-୫୭*, ଜୟଦେବ ଉନାଡକଟ-୨/୪୭, ଚେତନ ସାକାରିୟା-୨/୫୦)।

Share