Categories: ଖେଳ

ରଣଜୀ ଟ୍ରଫି: ଓଡ଼ିଶା ବୋଲର ନିରାଶ

ଭୁବନେଶ୍ୱର, ୫।୧ (କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବୋଲରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଫଳରେ ନାଗାଲାଣ୍ଡ ଦୃଢ଼ ବ୍ୟାଟିଂ କରି ବଡ଼ ସ୍କୋର ଛିଡ଼ା କରିଛି। ଗ୍ରୁପ୍‌ ‘ଏ’ର ଅପେକ୍ଷାକୃତ ଦୁର୍ବଳ ଦଳ ନାଗାଲାଣ୍ଡ ବିପକ୍ଷରେ ଓଡ଼ିଶା ପ୍ରଭାବୀ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା। ମାତ୍ର ପ୍ରଥମ ଇନିଂସରେ ୪୩୩ ରନ ସଂଗ୍ରହ କରି ଏହି ଦଳ ଘରୋଇ ବୋଲରଙ୍କ ବିଫଳତାକୁ ପଦାରେ ପକାଇ ଦେଇଛି। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଓଡ଼ିଶା ପ୍ରଥମ ଇନିଂସରେ କୌଣସି ଉଇକେଟ ନ ହରାଇ ୧୧୧ ରନ ସଂଗ୍ରହ କରିଛି। ଅନୁରାଗ ଷଡ଼ଙ୍ଗୀ ୭୫ ଓ ଶାନ୍ତନୁ ମିଶ୍ର ୩୧ ରନକରି ଅପରାଜିତ ରହିଛନ୍ତି। ସମସ୍ତ ଉଇକେଟ ସୁରକ୍ଷିତ ଥିବାବେଳେ ଓଡ଼ିଶା ୩୨୨ ରନ ପଛରେ ରହିଛି। ୨ ଦିନ ଖେଳ ଶେଷ ହୋଇଯାଇଥିବାରୁ ମ୍ୟାଚରୁ ଫଳାଫଳ ମିଳିବା ସମ୍ଭାବନା କମିଛି।
ବିସ୍ତଙ୍କ ଶତକ
ପ୍ରଥମ ଦିବସ ଖେଳ ଶେଷ ବେଳକୁ ନାଗାଲାଣ୍ଡ ୨୯୧ ରନ ମଧ୍ୟରେ ୬ ଉଇକେଟ ହରାଇଥିଲା। ଅର୍ଥାତ୍‌ ଦ୍ୱିତୀୟ ଦିବସରେ ଏହି ଦଳ ୪ ଉଇକେଟ ବିନିମୟରେ ଆହୁରି ୧୪୨ ରନ ସଂଗ୍ରହ କରି ନେଇଥିଲା। ଦଳର ବ୍ୟାଟିଂ ମେରୁଦଣ୍ଡ ସାଜିଥିଲେ ଅଭିଜ୍ଞ ଚେତନ ବିସ୍ତ। ଚଳିତ ସିଜନରେ ନାଗାଲାଣ୍ଡ ପକ୍ଷରୁ ଖେଳୁଥିବା ମହାରାଷ୍ଟ୍ରର ବିସ୍ତ ଶତକ ହାସଲ କରି ଦଳକୁ ବଡ଼ ସ୍କୋର ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ୨୧୩ ବଲ୍‌ରୁ ୧୬ ଚୌକା ଓ ୧ ଛକା ସହାୟତାରେ ୧୨୯ ରନ କରିଥିଲେ। ୮ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ସେଦେଝାଲେ ରୁପେରୋ ଓଡ଼ିଶା ବୋଲରଙ୍କୁ ସବୁଠାରୁ ବେଶି ନିରାଶ କରିଥିଲେ। ସେ ସଫଳତାର ସହ ଘରୋଇ ବୋଲରଙ୍କୁ ମୁକାବିଲା କରି ୭୧ ରନରେ ଅପରାଜିତ ରହିଥିଲେ। ୧୭୪ଟି ବଲ୍‌ର ସମ୍ମୁଖୀନ ହୋଇଥିବା ରୁପେରୋ ନିଜ ଇନିଂସ ମଧ୍ୟରେ ୮ ଚୌକା ଓ ୧ ଛକା ମାରିଥିଲେ। ଓଡ଼ିଶା ପକ୍ଷରୁ ଦୁଇ ଷ୍ଟ୍ରାଇକ୍‌ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ଓ ତାରିଣୀ ସ’ ଦ୍ୱିତୀୟ ଦିବସରେ ଉଇକେଟ ପାଇ ନ ଥିବାବେଳେ ଜୟନ୍ତ ବେହେରା ୨ଟି ଓ ଶାନ୍ତନୁ ମିଶ୍ର ଗୋଟିଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ପ୍ରୟାସ ସିଂ ମଧ୍ୟ ଉଇକେଟ ଶୂନ୍ୟ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ନାଗାଲାଣ୍ଡ ପ୍ରଥମ ଇନିଂସ: ୪୩୩/ଅଲ୍‌ଆଉଟ (ଚେତନ ବିସ୍ତ-୧୨୯, ସେଦେଝାଲି ରୁପେରୋ-୭୧*, ଶ୍ରୀକାନ୍ତ ମୁଣ୍ଡେ-୬୬, ହୋକାଇତୋ ଝିମୋମି-୫୯, ନାଗାହୋ ଚିଶି-୩୨, ସୂର୍ଯ୍ୟକାନ୍ତ ପ୍ରଧାନ-୩/୮୯, ତାରିଣୀ ସ’-୩/୮୬, ଜୟନ୍ତ ବେହେରା-୨/୯୪, ଶାନ୍ତନୁ ମିଶ୍ର-୧/୨୦)। ଓଡ଼ିଶା ପ୍ରଥମ ଇନିଂସ: ୧୧୧/୦ (ଅନୁରାଗ ଷଡ଼ଙ୍ଗୀ-୭୫*, ଶାନ୍ତନୁ ମିଶ୍ର-୩୧*)।

Share