Categories: ଖେଳ

ଓ୍ବିଣ୍ଟର ଅଲିମ୍ପିକ୍ସ ଲକ୍ଷ୍ୟରେ ରଞ୍ଜିତା

ଭୁବନେଶ୍ୱର, ୨୩ା୬ (ସରୋଜ ଜେନା): ଓଡ଼ିଶାର ଏକମାତ୍ର ସ୍କି ଓ ସ୍ନୋ ବୋର୍ଡ ଖେଳାଳି ରଞ୍ଜିତା ବେହେରାଙ୍କୁ ଭେଟିଛନ୍ତି ଭାରତୀୟ ସ୍କି ଓ ସ୍ନୋ ବୋର୍ଡ ସଭାପତି ରୂପଚାନ୍ଦ ନେଗୀ। ମହାପ୍ରଭୁଙ୍କ ରଥଯାତ୍ରା ଦର୍ଶନ କରି ଫେରିବା ପରେ ସେ ଭୁବନେଶ୍ୱରରେ ରଞ୍ଜିତା ଏବଂ ରାଜ୍ୟ ସ୍କି ଓ ସ୍ନୋ ବୋର୍ଡ ସଂଘର କର୍ମକର୍ତ୍ତାଙ୍କୁ ଭେଟିଥିଲେ। ରଞ୍ଜିତାଙ୍କ ସହିତ ଆଗାମୀ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟଗୁଡିକ ସମ୍ପର୍କରେ ଆଲୋଚନା କରିବା ସହିତ ସଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ନରଓ୍ବେ, ଅଷ୍ଟ୍ରିଆ ଓ ଇଟାଲୀର ନାମୀ ସ୍କୁଲରେ ପ୍ରଶିକ୍ଷଣ ପାଇଁ ସମସ୍ତ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଆଲୋଚନା ପରେ ରୂପଚାନ୍ଦ ନେଗୀ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ରଞ୍ଜିତା ଓଡ଼ିଶାର ଗର୍ବ ଓ ଗୌରବ। ଓଡ଼ିଶା ପରି ଏକ ବରଫବିହୀନ ରାଜ୍ୟରୁ ଆସି ମଧ୍ୟ ସେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ। ମିଲାନୋ କର୍ଟିନାରେ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ସ ପାଇଁ ସେ ଯୋଗ୍ୟତା ଅର୍ଜନ କରିବା ନେଇ ଆମେ ଆଶାବାଦୀ ବୋଲି ନେଗୀ କହିଥିଲେ। ଆଗକୁ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରଞ୍ଜିତା ଭଲ ପ୍ରଦର୍ଶନ କରିବାର ଆଶା କରାଯାଉଛି। ସ୍କି ଓ ସ୍ନୋ ବୋର୍ଡ ଏକ ବ୍ୟୟସାପେକ୍ଷ ଖେଳ ହୋଇଥିବାରୁ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଉପଯୁକ୍ତ ସହାୟତା ମିଳିବା ନେଇ ସେ ଆଶା କରୁଛନ୍ତି ବୋଲି କହିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡାର ପ୍ରଚାର ପ୍ରସାର ପାଇଁ ବିଶ୍ୱ ପ୍ରସିଦ୍ଧ । ତେଣୁ ରଞ୍ଜିତାଙ୍କୁ ମଧ୍ୟ ଉପଯୁକ୍ତ ସହାୟତା ମିଳିବା ନେଇ ଆଶାବାଦୀ ଥିବା କହିଥିଲେ ନେଗୀ। ଶେଷରେ ଓଡ଼ିଶା ସ୍କି ଓ ସ୍ନୋ ବୋର୍ଡ ସଂଘର ସଭାପତି ଡ. ଅନୁପ ନାୟକ ନେଗୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Share