Categories: ଖେଳ

ସ୍ନୋ ସ୍କି ରେସ୍‌ରେ ଭାଗନେବେ ରଞ୍ଜିତା

ଭୁବନେଶ୍ୱର, ୧୪।୧୨(କ୍ରୀଡ଼ା ପ୍ରତିନିଧି): ଅନ୍ତର୍ଜାତୀୟ ସ୍କି ଫେଡେରେଶନ ଆନୁକୂଲ୍ୟରେ ସର୍ବିୟାର ଜ୍ଲାଟିବର-ଟର୍ନିକଠାରେ ସିଗୋଟା କପ୍‌ ଓ ବୋସନିଆଠାରେ ଜାହୋରିନା କପ୍‌ ଅନ୍ତର୍ଜାତୀୟ ସ୍ନୋ ସ୍କି ଚାମ୍ପିୟନଶିପ୍‌ ଆସନ୍ତା ମାସରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଆଲ୍‌ପାଇନ୍‌ ସ୍କି ବିଭାଗରେ ଅଂଶଗ୍ରହଣ ପାଇଁ ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ‘ସ୍ନୋ ଗର୍ଲ’ ରଞ୍ଜିତା ବେହେରା ଭାରତ ପକ୍ଷରୁ ମନୋନୀତ ହୋଇଛନ୍ତି। ବରଫବିହୀନ ରାଜ୍ୟ ହୋଇଥିଲେ ହେଁ ‘ସ୍ନୋ ସ୍ପୋଟର୍‌ସ’ ଜଗତରେ ଓଡ଼ିଶାକୁ ପରିଚିତ କରାଇଥିବା ରଞ୍ଜିତା ଆଗାମୀ ପ୍ରତିଯୋଗିତା ପୂର୍ବରୁ ରାଜଭବନଠାରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ରଞ୍ଜିତାଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇବା ସହ ପ୍ରତିଯୋଗିତାରେ ଉଚ୍ଚକୋଟୀର ପ୍ରଦର୍ଶନ କରି ରାଜ୍ୟର ଗୌରବ ବଢ଼ାଇବା ପାଇଁ ଆଶୀର୍ବାଦ କରିଛନ୍ତି।
ଅନ୍ତର୍ଜାଜୀୟ ରେସ୍‌ରେ ଭାଗନେବା ପୂର୍ବରୁ ରଞ୍ଜିତା ଚଳିତ ମାସ ୨୦ରୁ ୟୁରୋପ ଆଲ୍ପସର କୋପାଓନିକ ରେଞ୍ଜ୍‌ର ସ୍କି ସ୍କୁଲରେ ଉଚ୍ଚତର ତାଲିମ ନେବାକୁ ବିଦେଶ ଯାତ୍ରା କରିବେ। ବ୍ୟୟବହୁଳ ତାଲିମ ପାଇଁ ଭାରତୀୟ ଜୀବନବୀମା ନିଗମ, ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ, ଏଲ୍‌ଆଇସି ହାଉସିଂ ଫାଇନାନ୍ସ ନିଗମ ଏବଂ ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ରଞ୍ଜିତା କୃତଜ୍ଞତା ଜ୍ଞାପନ କରିଛନ୍ତି। ବିଦେଶରେ ତାଲିମ ସହ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହନ ରାଶି ପର୍ଯ୍ୟାପ୍ତ ନ ଥିବାରୁ ମୁଁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ନିକଟରେ ସହାୟତା ପାଇଁ ଅନୁରୋଧ କରିଛି। ଆର୍ଥିକ ସହାୟତା ତଥା ସରକାରୀ ପ୍ରୋତ୍ସାହନ ନ ମିଳିଲେ ବିଦେଶରେ ତାଲିମନେବା ଅସମ୍ଭବ ହୋଇପଡ଼ିବ ବୋଲି ରଞ୍ଜିତା ପ୍ରକାଶ କରିଛନ୍ତି।

Share