Categories: ଖେଳ

ଆଇସିସି ଶ୍ରେଷ୍ଠ ଏକାଦଶରେ ଭାରତୀୟ ଖେଳାଳିଙ୍କ ଜଲଓ୍ବା: ୬ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧।୭: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ଟି-୨୦ ବିଶ୍ୱକପ ଭାରତ ଜିତିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଐତିହାସିକ ବିଜୟ ସହ ଟାଇଟଲ ଜିତିଥିଲା। ଏହା ସହିତ ଟିମ ଇଣ୍ଡିଆ ମଧ୍ୟ ୧୧ ବର୍ଷ ଧରି ଚାଲିଥିବା ଆଇସିସି ଟ୍ରଫି ଟୁର୍ନାମେଣ୍ଟ ମରୁଡି ସମାପ୍ତ କରିଛି। ୨୦୦୭ ପରେ ଭାରତ ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ଦଖଲ କରିଛି। ଟୁର୍ନାମେଣ୍ଟ ପରେ ଆଇସିସି ଟୁର୍ନାମେଣ୍ଟର ଟିମ ଚୟନ କରିଛି। ଏଥିରେ ଭାରତୀୟ ଖେଳାଳିଙ୍କ ଜଲଓ୍ବା ଦେଖିବାକୁ ମିଳିଛ।
ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା। ଏହାପୂର୍ବରୁ ୨୦୦୭ରେ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ରଥମ ଟାଇଟଲ ଜିତିଥିଲା। ଏହି ଟୁର୍ନାମେଣ୍ଟରେ ଭାରତୀୟ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ୬ ଜଣ ଭାରତୀୟ ଟୁର୍ନାମେଣ୍ଟର ଆଇସିସି ଟିମରେ ସ୍ଥାନ ପାଇଛନ୍ତି। ଆଶ୍ଚର୍ଯ୍ୟର କଥା, ଫାଇନାଲରେ ଭାରତ ପାଇଁ ୭୬ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ।
୬ ଜଣ ଭାରତୀୟ ଖେଳାଳିଙ୍କ ବ୍ୟତୀତ ଆଫଗାନିସ୍ତାନର ତିନିଜଣ ଖେଳାଳି ଏବଂ ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆର ଜଣେ ଖେଳାଳି ୧୧ ଜଣିଆ ଆଇସିସି ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏଥିରେ ରୋହିତ ଶର୍ମା ଏବଂ ରହମାନୁଲ୍ଲା ଓପନର୍‌ ଭାବରେ ମନୋନୀତ ହୋଇଛନ୍ତି। ରୋହିତ ଭାରତ ପାଇଁ ସର୍ବାଧିକ ରନ (୨୫୭ ରନ) ସ୍କୋର କରିଥିବାବେଳେ ଗୁରୁବାଜ ଏହି ଟୁର୍ନାମେଣ୍ଟର ଶ୍ରେଷ୍ଠ ସ୍କୋରର ଥିଲେ। ତୃତୀୟ ସ୍ଥାନରେ ଆଇସିସି ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ, ଚତୁର୍ଥ ସ୍ଥାନରେ ସୁର୍ଯ୍ୟକୁମାର ଯାଦବ ଅଛନ୍ତି। ଏହା ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଜସପ୍ରୀତ ବୁମ୍‌ରା ଏବଂ ଅର୍ଶଦୀପ ସିଂ ଏହି ଦଳରେ ସାମିଲ ହୋଇଛନ୍ତି। ଏହି ଚାରି ଖେଳାଳି ଟି -୨୦ ବିଶ୍ୱକପ ୨୦୨୪ରେ ଭାରତ ପାଇଁ ଦୃଢ ପ୍ରଦର୍ଶନ କରିଥିଲେ।

ଆଇସିସି ପ୍ଲେଇଙ୍ଗ୍‌-୧୧: ରୋହିତ ଶର୍ମା, ରହମାନୁଲ୍ଲା ଗୁରୁବାଜ, ନିକୋଲାସ ପୁରାନ, ସୂର୍ଯ୍ୟକୁମାର ଯାଦବ, ମାର୍କସ ଷ୍ଟୋଇନିସ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରଶିଦ ଖାନ, ଜସପ୍ରୀତ ବୁମ୍‌ରା, ଅର୍ଶଦୀପ ସିଂ, ଫଜଲହକ ଫାରୁକି।

Share