Advertisement

ରଣପୁର ବିଡିଓଙ୍କ ଅନିୟମିତତା ଧରାପଡ଼ିଲା

ନୟାଗଡ଼/ରଣପୁର, ୩୦।୧୨(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବ୍ଲକରେ ୫ମ ରାଜ୍ୟ ଅର୍ଥ କମିଶନ(ଏସ୍‌ଏଫସି) ପ୍ରକଳ୍ପ ପାରିତରେ ଅନିୟମିତତା ହୋଇଥିବା ଜିଲାପାଳଙ୍କ କୋର୍ଟ ରାୟ ପରେ ସ୍ପଷ୍ଟ ହୋଇଛି। ରଣପୁର ବ୍ଲକ ଅଧ୍ୟକ୍ଷାଙ୍କ ଅଗଚୋରରେ ପାରିତ ହୋଇଥିବା ପ୍ରକଳ୍ପର କାର୍ଯ୍ୟକୁ ପୁଣି ଥରେ ସରକାରୀ ନିୟମ ମୁତାବକ ପାରିତ କରିବାକୁ ଜିଲାପାଳଙ୍କ କୋର୍ଟ ନିର୍ଦ୍ଦେଶ ଦେଇଛି। ଜିଲାପାଳଙ୍କ କୋର୍ଟ ରାୟ ପ୍ରକାଶ ପରେ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ସନ୍ତୋଷ ପ୍ରକଟ କରି ଧର୍ମର ଜୟ ହୋଇଛି ବୋଲି କହିଛନ୍ତି। ଅଧ୍ୟକ୍ଷା ବେହେରାଙ୍କ ଅଭିଯୋଗ ଅନୁସାରେ, ୨୦୨୨ ସେପ୍ଟେମ୍ବରରେ ତତ୍କାଳୀନ ବିଡିଓ ସରକାରୀ ନିୟମକୁ ଅଣଦେଖା କରି ଏସ୍‌ଏଫସି ପ୍ରକଳ୍ପ ପାରିତରେ ଅନିୟମିତତା କରିଥିଲେ। ଅଧ୍ୟକ୍ଷାଙ୍କ ସହ ଏସ୍‌ଏଫସି ପ୍ରକଳ୍ପ ସମ୍ପର୍କରେ କୌଣସି ଆଲୋଚନା ନ କରି ଜିଲାପାଳଙ୍କ ପାଖକୁ ପଠାଇ ଥିଲେ। ତେବେ ଆଇନ ଅନୁସାରେ ପାରିତ ହୋଇ ନ ଥିଲେ ମଧ୍ୟ ଏସ୍‌ଏଫସି ପ୍ରକଳ୍ପର ଅନୁଦାନ ଅନୁମୋଦନ ପାଇଥିଲା। ଏ ନେଇ ଅଧ୍ୟକ୍ଷା ନିର୍ମଳା ଜିଲାପାଳ, ଜିଲା ପରିଷଦ ବୈଠକ ଓ ଜିଲା ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ପାଇ ନ ଥିଲେ। ଏ ନେଇ ନିର୍ମଳା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ବିଚାର କରି ରହିତାଦେଶ ଜାରି କରିଥିଲେ। ଅନ୍ୟପକ୍ଷେ ମାମଲାର ରାୟ ଜିଲାପାଳଙ୍କ କୋର୍ଟ ଶୁଣାଇବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ କୋର୍ଟ ଏହାର ବିଚାର କରି ବିଡିଓଙ୍କୁ ପୁଣି ଥରେ ପ୍ରକଳ୍ପର ପ୍ରସ୍ତାବ ସରକାରୀ ଆଇନ ଅନୁସାରେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share