ଚଳିତ ବର୍ଷ ଛେରାପହଁରା କରିବେନି ରଣପୁର ରାଜା

ରଣପୁର,୧୯ା୬(ସୁକାନ୍ତ କିଶୋର ଡାକୁଆ): ରଣପୁର ରାଜା ଚଳିତ ବର୍ଷ ଠାକୁରଙ୍କ ୩ରଥରେ ଛେରାପହଁରା କରିବେ ନାହିଁ ବୋଲି ଲିଖିତ ଆକାରରେ ଏଣ୍ଡାଓମେଣ୍ଟ କମିଶନର, ମୁଖ୍ୟ ଶାସନ ସଚିବ, ନୟାଗଡ଼ ଜିଲାପାଳଙ୍କ ସହିତ ରଣପୁର ଦେବୋତ୍ତର ବିଭାଗର ଅଧିକାରୀ ତଥା ତହସିଲଦାରଙ୍କୁ ଜଣାଇଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଚଳିତ ବର୍ଷ ଛେରାପହଁରା କରିବେ ନାହିଁ ବୋଲି ରଣପୁର ରାଜା ଦିଲୀପ ଚନ୍ଦ୍ର ସିଂହଦେଓ କହିଛନ୍ତି। ମନ୍ଦିରରେ ହେଉଥିବା ଅଭଡା ଓ ଭୋଗ ଟଙ୍କାମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ପ୍ରଦାନ କରାଯାଉନାହିଁ। ରାଜା ଏବେ ନିଜେ ଚଳିବାକୁ ଅସମର୍ଥ ଥିଲା ବେଳେ ତାଙ୍କୁ କୌଣସି ସରକାରୀ ସହାୟତା ବି ମିଳୁନାହିଁ। ୧୯୪୭ରେ ଭାରତ ସରକାର ଏହି ରାଜ ପରିବାରକୁ ରଣପୁର ଅଞ୍ଚଳରେ ହଜାର ଏକର ଜମି ପ୍ରଦାନ କରିଥିଲେ। ହେଲେ ୧୯୯୬ରେ ରାଜ୍ୟ ସରକାରଙ୍କ ତରଫରୁ କରାଯାଇଥିବା ହାଲ ସେଟଲମେଣ୍ଟରେ ରାଜାଙ୍କ ୩୦ ଏକର ଜମିକୁ ଛାଡି ୯୭୦ ଏକର ଜମି ଘରବାରି ତୋଟା ପୋଖରୀ ବିଲକୁ ଅନାବାଦି କରାଯାଇ ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି। ଅପରପକ୍ଷେ ରାଜାଙ୍କର ବିଭିନ୍ନ ଦୋକାନ ଘରଗୁଡିକୁ କିଛି ଲୋକମାନେ ବେଆଇନି ଭାବେ ମାଡିବସି ରହିଛନ୍ତି। ଏହାଫଳରେ ରାଜା ନିଜର ପରିବାର ପୋଷଣ କରିବା ପାଇଁ ତାଙ୍କୁ କଷ୍ଟ ହେଉଛି। ବହୁ ପୁରାତନ କାଳରୁ ରାଜବାଟିକୁ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିବାକୁ ବସିଲାଣି ଅପରପକ୍ଷେ ରଥାଖଳାଟି ରାଜାଙ୍କର ହେଉଥିଲା ବେଳେ ରଣପୁର ତହସିଲ ଏହି ରଥଖଳାଟି ମନ୍ଦିରର ବୋଲି ଦାବି କରିଆସୁଛନ୍ତି, ଯାହାକୁ ନେଇ ରାଜା ଅସନ୍ତୁଷ୍ଟ ହୋଇରହିଛନ୍ତି। ଅପରପକ୍ଷେ ରଣପୁର ମନ୍ଦିର ପରିଚାଳନା କମିଟି ତରଫରୁ ରାଜା କୌଣସି ସହଯୋଗ ଠିକ୍‌ଭାବେ କରୁନାହାନ୍ତି ବୋଲି ରାଜ ସିଂହଦେଓ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଘୋଷ ଯାତ୍ରାରେ ୩ ରଥ ଉପରେ ଛେରା ପହଁରା କରିବା ପାଇଁ ରାଜା ସିଂହଦେଓ ରଣପୁର ଦେବୋତ୍ତର ବିଭାଗ ପାଖରେ ମନ୍ଦିରରେ ଭୋଗ ହେଉଥିବା ନିଲାମ ଟଙ୍କା ଦାବି କରିିଛନ୍ତି। ଯଦି ତାଙ୍କୁ ଏହି ଅର୍ଥ ପ୍ରଦାନ କରା ନ ଯାଏ ତାହା ହେଲେ ସେ ରଥ ଉପରେ ଛେରା ପହଁରା କରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇଛନ୍ତି।
ଏହି ବିଷୟରେ ରଣପୁର ଦେବୋତ୍ତର ବିଭାଗର ଅଧିକାରୀ ତଥା ତହସିଲଦାରଙ୍କୁ ପଚାରିବାରୁ ସେ କୁହନ୍ତି ମୁଁ ଓ ମନ୍ଦିର ପରିଚାଳକ ରମେଶ ପ୍ରଧାନ ରାଜବାଟୀକୁ ଯାଇ ରାଜାଙ୍କୁ ବହୁତ ବୁଝାଶୁଝା କରିଥିଲେ ମଧ୍ୟ ସେ ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି । ଏନେଇ ଏଣ୍ଡାଓମେଣ୍ଟ କମିଶନରଙ୍କୁ ଏହି ବିଷୟରେ ଅବଗତ କରିବା ପରେ ରବିବାର ଏଣ୍ଡାଓମେଣ୍ଟ ନିରୀକ୍ଷକ ରଣପୁର ଆସି ରାଜାଙ୍କ ସହିତ ଆଲୋଚନା କରିଥିଲେ। ରାଜା କୌଣସି ସନ୍ତୋଷ ଜନକ ଉତ୍ତର ଦେଇନାହଁାନ୍ତି। ଏହି ବିଷୟରେ ରଣପୁର ଯୁବରାଜ କୌଶକ ଚନ୍ଦ୍ର ସିଂହଦେଓ କୁହନ୍ତି, ପ୍ରତିବର୍ଷ ରଥଯାତ୍ରାରେ ଛେରାପହଁରା କାର୍ଯ୍ୟ ରାଜପରିବାର ତରଫରୁ କରାଯାଏ । କିନ୍ତୁ ଚଳିତ ବର୍ଷ ମନ୍ଦିର ପ୍ରଶାସନ ତରଫରୁ ଆମକୁ ଅବହେଳା କରିବାରୁ ଛେରାପହଁରା କରିବୁ ନାହିଁ ବୋଲି ନିଷ୍ପତ୍ତି ନେଇଛୁ। ଏହିସବୁ ଘଟଣାକୁ ନେଇ ରଣପୁର ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।