କୋଲକାତା: ବର୍ତ୍ତମାନ କରୋନା ଭାଇରସ ଯୋଗୁ ସମଗ୍ର ଦେଶରେ ଲକ୍ଡାଉନ୍ ଜାରି ରହିଥିବାରୁ ଏଥିରେ ଅନେକ କଳାକାର ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ରାନୁ ମଣ୍ଡଳ। ଏକଦା ଷ୍ଟେଶନରେ ଲତା ମଙ୍ଗେସକରଙ୍କ କଣ୍ଠରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ପଶ୍ଚିମବଙ୍ଗ ରାଣାଘାଟର ରାନୁ ମଣ୍ଡଳଙ୍କ ଜୀବନରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି।
ସେ ବର୍ତ୍ତମାନ ନିଜ ଘରେ ପୂର୍ବପରି ଜୀବନ ବିତାଉଛନ୍ତି। ରୋଷେଇ କରିବାଠାରୁ ଆରମ୍ଭ କରି ବାଡ଼ିବଗିଚା କାମ କରି ଜୀବନ ଅତିବାହିତ କରୁଛନ୍ତି। ସେଇ ଭଙ୍ଗା କୁଡ଼ିଆ, ସେଇ ପୂର୍ବ ଚଳଣିକୁ ନେଇ ରାନୁ ସମୟ ବିତାଉଛନ୍ତି।
ରାନୁ ଏକ ସାକ୍ଷାତକାରରେ କହିଛନ୍ତି, ଭଗବାନଙ୍କ ଇଚ୍ଛା ଯାହା ତାହା ହିଁ ହେଉଛି। ଏହି ଅସୁବିଧା ସମସ୍ତଙ୍କ ପାଇଁ ଆସିଛି। ସେଇଟାକୁ ଆମେ ପରିବର୍ତ୍ତନ କରିପାରିବା ନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି, ଏହି ଅସୁବିଧା ସବୁଦିନ ରହିବନି। ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଏ ମହାମାରୀ ସମଗ୍ର ବିଶ୍ୱ ତଥା ଦେଶରୁ ଖୁବ୍ ଶୀଘ୍ର ଦୂରେଇ ଯାଉ। ଆଉ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେଉ।