Categories: ଜାତୀୟ

ଓ୍ବାରାଓ୍ବାରା ରାଓଙ୍କୁ ଜାମିନ

ମୁମ୍ବାଇ, ୨୩ା୨: ଭୀମା କୋରେଗାଁଓ ମାମଲାରେ ଅଭିଯୁକ୍ତ ଓ୍ବାରାଓ୍ବାରା ରାଓଙ୍କୁ ବମ୍ବେ ହାଇକୋର୍ଟ ସୋମବାର ୬ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତେଲୁଗୁ କବି ତଥା ସାମାଜିକ କର୍ମୀ ଓ୍ବାରାଓ୍ବାରାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ଜାମିନ ପ୍ରଦାନ କରାଯାଇଛି। ଓ୍ବାରାଓ୍ବାରା (୮୨)ଙ୍କ ଅତ୍ୟଧିକ ବୟସ ଓ ଅସୁସ୍ଥତାକୁ ବିଚାରକୁ ନେଇ ତାଙ୍କୁ ଜାମିନ ପ୍ରଦାନ କରାଯିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଏସ୍‌.ଏସ୍‌. ସିନ୍ଧେ ଏବଂ ମନୀଷ ପିଟାଲେଙ୍କ ଖଣ୍ଡପୀଠ କହିଥିଲେ।
ଜାମିନ ପ୍ରଦାନ ବେଳେ ଖଣ୍ଡପୀଠ ବିଚାରାଧୀନ ବନ୍ଦୀଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କିତ ୭ଟି ପ୍ରଶ୍ନକୁ ବିଚାରକୁ ନେଇଥିଲେ। ସେଗୁଡ଼ିକ ହେଲା, ଓ୍ବାରାଓ୍ବାରାଙ୍କୁ ଏଲ୍‌ଗାର ପରିଷଦ ମାମଲାରେ ଅଭିଯୁକ୍ତ କରାଯାଇଥିଲେ ହେଁ ଏନ୍‌ଆଇଏ କୋର୍ଟ ଦ୍ୱାରା ଏପର୍ଯ୍ୟନ୍ତ ଚାର୍ଜଫ୍ରେମ୍‌ ହୋଇନାହଁି। ଅଭିଯୋଗ ପକ୍ଷ ୨୦୦ ସାକ୍ଷୀଙ୍କ ବୟାନ ଯାଞ୍ଚ କରିବାକୁ ଚାହାନ୍ତି। ଏଥିପାଇଁ କେତେ ଦିନ ଲାଗିବ ଓ କେବେ ବିଚାର ଶେଷ ହେବ, ତାହା କୁହାଯାଇପାରିବ ନାହିଁ। ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟଙ୍କ ରାୟର ଅବତାରଣା କରି ଖଣ୍ଡପୀଠ କହିଥିଲେ, ଜେଲ୍‌ରେ ଥିବା ବିଚାରାଧୀନ ବନ୍ଦୀଙ୍କୁ ସମ୍ବିଧାନର ଅନୁଚ୍ଛେଦ ୨୧ରେ ଥିବା ମୌଳିକ ଅଧିକାର ଗ୍ୟାରେଣ୍ଟିରୁ ବଞ୍ଚତ୍ତ କରାଯାଇପାରିବ ନାହିଁ।
ସ୍ବତନ୍ତ୍ର ପରିସ୍ଥିତିରେ ଅଭିଯୁକ୍ତଙ୍କୁ ବାହାରକୁ ଯିବା ଲାଗି ଅନୁମତି ଦେବା ପାଇଁ ଜେଲ୍‌ର ୪ କାନ୍ଥକୁ ଭାଙ୍ଗିବାକୁ ପଡ଼ିପାରେ ବୋଲି ବମ୍ବେ ହାଇକୋର୍ଟ କହିଥିଲେ। ଜଣେ ଅସୁସ୍ଥ ବିଚାରାଧୀନ ବନ୍ଦୀଙ୍କୁ ଜାମିନରେ ଛଡ଼ା ନ ଗଲେ ତାଙ୍କ ଜୀବନ ବିପଦପୂର୍ଣ୍ଣ ହୋଇପାରେ। ବନ୍ଦୀଙ୍କୁ ଉପଲବ୍ଧ ହେଉଥିବା ଏଭଳି ଅଧିକାରକୁ ଉଚ୍ଛେଦ କରିବା ଲାଗି ତଦନ୍ତକାରୀ ସଂସ୍ଥାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ଓ୍ବାରାଓ୍ବାରା ରାଓଙ୍କୁ ମୁମ୍ବାଇରେ ରହିବା ଏବଂ ତଦନ୍ତ ପାଇଁ ଆବଶ୍ୟକ ସମୟରେ ଉପସ୍ଥିତ ହେବା ସର୍ତ୍ତରେ ଜାମିନ ପ୍ରଦାନ କରାଯାଇଛି। ତାଙ୍କୁ ନାନାବତୀ ହସ୍ପିଟାଲରୁ ଡିସ୍‌ଚାର୍ଜ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭୀମା କୋରେଗାଁଓ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଓ୍ବାରାଓ୍ବାରାଙ୍କୁ ୨୦୧୮ରେ ଗିରଫ କରାଯାଇଥିଲା। ଜେଲ୍‌ରେ ଥିବାବେଳେ କରୋନା ଆକ୍ରାନ୍ତ ହେବାରୁ ତାଙ୍କୁ ଏକାଧିକ ଥର ହସ୍ପିଟାଲ୍‌ ନିଆଯାଇଥିଲା।

Share