Categories: ଜାତୀୟ

କୋର୍ଟ ବିଲ୍ଡିଂରୁ ଡେଇଁ ପ୍ରାଣ ହରାଇଲେ ବଳାତ୍କାରୀ ଅଭିଯୁକ୍ତ

ଫରିଦାବାଦ,୧।୫: ଜଣେ ୨୧ ବର୍ଷୀୟ ବଳାତ୍କାର ଅଭିଯୁକ୍ତ ଶନିବାର ଫରିଦାବାଦ କୋର୍ଟ ବିଲ୍ଡିଂର ୬ଷ୍ଠ ମହାଲାରୁ ଡେଇଁ ପ୍ରାଣ ହରାଇଛନ୍ତି। ଜାମିନ ଆବେଦନର ଶୁଣାଣି ପାଇଁ ତାଙ୍କୁ କୋର୍ଟ ଅଣା ଯାଇଥିଲା। ଅଭିଯୁକ୍ତ ସୁରଜଙ୍କ ବାପା ମା’ ଶୁଣାଣି ବେଳେ ତାଙ୍କ ସହ ଉପସ୍ଥିତ ଥିଲେ। ବଳାତ୍କାର ଅଭିଯୋଗ ଆଣିଥିବା ଝିଅ ସହ ସେମାନଙ୍କ ପୁଅର ବିବାହ ହୋଇଥିଲା। କିନ୍ତୁ ପରେ ଝିଅର ବାପା ମା’ ଟଙ୍କା ଦାବି କରିଥିଲେ। ଏଥିରେ ସେ ଚିନ୍ତିତ ଥିଲେ।
ଗାଜିଆବାଦ ବାସିନ୍ଦା ସୁରଜ ଫରିଦାବାଦର ଏକ ବେସରକାରୀ ଫାର୍ମରେ କାମ କରୁଥିଲେ। ଗତ ବର୍ଷ ଜୁନ ୧୫ ତାରିଖରେ ତାଙ୍କ ବିରୋଧରେ ଖେରି ପୁଲ ଥାନାରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିଲା। ଏହାର ୭ ଦିନ ପରେ ସେ ଗିରଫ ହୋଇଥିଲେ। ତାଙ୍କୁ ଅଗଷ୍ଟ ୧୧ ତାରିଖରେ ଆନ୍ତରୀଣ ଜାମିନ ମିଳିଥିଲା। ଶନିବାର ତାଙ୍କ ନିୟମିତ ଜାମିନ ଶୁଣାଣି ପାଇଁ କୋର୍ଟକୁ ଆସିଥିଲେ। ଶୁଣାଣି ପରେ ବାପା ମା’ ଚିନ୍ତିତ ଥିବା ବେଳେ ସୁରଜ ବିଚଳିତ ହୋଇ କୋର୍ଟ ବାହାରକୁ ଚାଲି ଯାଇଥିଲେ।
ସୁରଜ କୋର୍ଟ ବିଲ୍ଡିଂରୁ ଡେଇଁଲା ବେଳେ ସେମାନେ ତାଙ୍କଠାରୁ କିଛି ଦୂରରେ ଥିଲେ ବୋଲି କହିଛନ୍ତି। ପୋଲିସ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Share