Categories: ଜାତୀୟ

ପୀଡ଼ିତାଙ୍କୁ ବିବାହ ପାଇଁ ରାଜି ହେଲେ ବଳାତ୍କାର ଅଭିଯୁକ୍ତ: ଦଣ୍ଡମୁକ୍ତ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୧।୨: ପୀଡ଼ିତାଙ୍କୁ ବିବାହ କରିବା ପାଇଁ ରାଜି ହେବାପରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କ୍‌ୁ ବୁଧବାର ସୁପ୍ରିମ୍‌କୋର୍ଟ ଦଣ୍ଡମୁକ୍ତ କରିଛନ୍ତି। ତେବେ ୬ ମାସ ମଧ୍ୟରେ ପୀଡ଼ିତାଙ୍କୁ ବିବାହ କରିବାକୁ ପଡ଼ିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ତାଗିଦ କରିଛନ୍ତି। ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି। ଖଣ୍ଡପୀଠର ଅନ୍ୟ ସଦସ୍ୟ ବିଚାରପତି ଏ.ଏସ୍‌. ବୋପନ୍ନା ଏବଂ ଭି. ରାମସୁବ୍ରମଣିଆନ୍‌ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଶିଖ୍‌ ଜାଠ ସମ୍ପ୍ରଦାୟର ହୋଇଥିବାବେଳେ ପୀଡ଼ିତା ଅନୁସୂଚିତ ଜାତି ବର୍ଗର। ଏବେ ପୀଡ଼ିତା ଅଷ୍ଟ୍ରେଲିଆରେ ରହୁଛନ୍ତି। ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତ ପଞ୍ଜାବର ଅମୃତସରର ବାସିନ୍ଦା। ଅଷ୍ଟ୍ରେଲିଆକୁ ପାଠ ପଢ଼ିବାକୁ ଯାଇଥିବା ସମୟରେ ଦୁହିଁଙ୍କ ମଧ୍ୟରେ ୨୦୧୬ରେ ଦେଖା ସାକ୍ଷାତ୍‌ରୁ ଭଲ ପାଇବା ଆରମ୍ଭ ହୋଇଥିଲା। ଏହାପରେ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ ହୋଇଥିଲା। ୨୦୧୮ରେ ଅଭିଯୁକ୍ତ ଅମୃତସର ଫେରିଥିଲେ। ବହୁ ସମୟରେ ତାଙ୍କୁ ଭେଟିବା ପାଇଁ ପୀଡ଼ିତା ଅଷ୍ଟ୍ରେଲିଆରୁ ଆସୁଥିଲେ। ଦୁହିଁଙ୍କ ସମ୍ପର୍କ ୨୦୧୯ ଜୁଲାଇ ପର୍ଯ୍ୟନ୍ତ ଭଲ ଥିଲା। ଏହାପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହ କରିପାରିବେନି ବୋଲି କହିଥିଲେ। ସେମାନେ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ପରିବାର ଲୋକେ ଅରାଜି ଥିବା ଅଭିଯୁକ୍ତ କହିଥିଲେ। ଏନେଇ ପୀଡ଼ିତା କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଅଭିଯୁକ୍ତ ବିରୋଧରେ ପ୍ରଲୋଭନ ଦେଖାଇ ଏବଂ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଅଭିଯୋଗ ହୋଇଥିଲା।

Share