Categories: ଜାତୀୟ

ପୋଲିସ ଗୁଳିରେ ପ୍ରାଣ ହରାଇଲେ ଖସି ପଳାଉଥିବା ଗଣବଳାତ୍କାର ଅଭିଯୁକ୍ତ

ଗୁଆହାଟି,୧୭।୩: ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି ଏକ ନାବାଳିକା ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ। ସେ ପୋଲିସ ହେପାଜତରୁ ଖସି ପଳାଇବାକୁ ଉଦ୍ୟମ କଲା ବେଳେ ପ୍ରାଣ ହରାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।

ତାଙ୍କୁ ମଙ୍ଗଳବାର ରାତିରେ ତଦନ୍ତ ପାଇଁ ଘଟଣାସ୍ଥଳକୁ ନିଆଯାଇଥିଲା। ସେଠାରେ ସେ ଦୁଇ ପୋଲିସ କର୍ମୀଙ୍କୁ ଆକ୍ରମଣ କରି ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏଣୁ ପୋଲିସ ତାଙ୍କ ଉପରେ ଗୁଳି ଚଳାଇଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତଙ୍କୁ ଗୁଆହାଟୀ ମେଡିକାଲ କଲେଜ ହସ୍ପିଟାଲ (ଜିଏମ୍‌ସିଏଚ୍‌) ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

୧୫ ବର୍ଷୀୟା ନାବାଳିକାଙ୍କୁ ଫେବୃୟାରୀରେ ଗୁଆହାଟିର ଏକ ହୋଟେଲରେ ୫ ଜଣ ଗଣବଳାତ୍କାର କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ପୀଡ଼ିତାଙ୍କୁ ପୂର୍ବରୁ ଯୌନ ନିର୍ଯାତନା ଦେଇଥିଲେ। ଏ ଘଟଣା ସମ୍ପର୍କରେ ମାର୍ଚ୍ଚ ୮ ତାରିଖରେ ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ସେବେଠାରୁ ଫେରାର ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ମଙ୍ଗଳବାର କାମରୁପ ଜିଲାର ଦାମପୁର ଅଞ୍ଚଳରୁ ପୋଲିସ ଗିରଫ କରିଥିଲା। ତେବେ ଗତ ବର୍ଷ ମେ’ରେ ହେମନ୍ତ ବିଶ୍ୱା ଶର୍ମା ମୁଖ୍ୟମନ୍ତ୍ରୀ ହେବା ପରେ ଏପର୍ଯ୍ୟନ୍ତ ପୋଲିସ ଏନକାଉଣ୍ଟରରେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୯ ଜଣ ଆହତ ହୋଇଛନ୍ତି।

Share