ବଳାତ୍କାର ଅଭିଯୁକ୍ତଙ୍କୁ ଜେଲ

ଢେଙ୍କାନାଳ,୨୭ା୬(ରତନ ନାୟାର): ଜଣେ ଦଳିତ ସମ୍ପ୍ରଦାୟର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଢେଙ୍କାନାଳ ଫାଷ୍ଟଟ୍ରାକ୍‌ ଅଦାଲତ ସୋମବାର ଦୋଷୀ ସାବ୍ୟସ୍ତ କରିବା ସହ ୭ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ୨୬ ଅକ୍ଟୋବର ୨୦୨୦ରେ ଅଭିଯୁକ୍ତ ନିରଞ୍ଜନ ମହାରଣା ସମ୍ପୃକ୍ତା ନାବାଳିକାଙ୍କୁ ବଜାରରୁ ଫଳ ଆଣିବା ପାଇଁ ଡାକିଥିଲେ। ନାବାଳିକା ଜଣକ ନିକଟସ୍ଥ ବଜାରରୁ ଫଳ କିଣି ସାରିବା ପରେ ଅଭିଯୁକ୍ତ ତାଙ୍କୁ ବାଇକ୍‌ରେ ନେଇ କଙ୍କଡାହାଡ ପାଖ ଜଙ୍ଗଲରେ ବଳାତ୍କାର ଉଦ୍ୟମ କରିଥିଲେ। ତେବେ ନାବାଳିକା ଜଣକ କୌଶଳକ୍ରମେ ଖସି ପଳାଇ ଆସି ନିକଟସ୍ଥ କାରନ୍ଦା ଗ୍ରାମର ଜମେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେବା ସହ ବାପାଙ୍କ ପାଖକୁ ଫୋନ କରିଥିଲେ। ପରେ ବାପା ସେଠାରେ ପହଁଚି ଝିଅକୁ ଉଦ୍ଧାର କରିଥିଲେ। ଏ ସଂକ୍ରାନ୍ତରେ ନାବାଳିକାଙ୍କ ପରିବାର ପକ୍ଷରୁ କଙ୍କଡାହାଡ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ନଂ. ୧୧୫/୨୦ରେ ଏକ ମାମଲାରେ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଫାଷ୍ଟଟ୍ରାକ ଅଦାଲତର ବିଚାରପତି ଡ. ସୂର୍ଯ୍ୟମଣି ମହାପାତ୍ର ଏହି ମାମଲାରେ ସିଟି ସ୍ପେଶାଲ କେସ୍‌ ନଂ-୭୨/୨୦ର ବିଚାରକରି ୧୫ଜଣଙ୍କ ସାକ୍ଷ୍ୟପ୍ରମାଣ, ଡାକ୍ତରୀ ରିପୋର୍ଟ ଓ ୧୩ଟି ଦସ୍ତାବିଜ୍‌କୁ ବିଚାରକୁ ନେଇ ଅଭିଯୁକ୍ତ ନିରଞ୍ଜନଙ୍କୁ ୭ବର୍ଷ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମନା ଆଦେଶ ପ୍ରଦାନ କରିଥିଲେ। ଏତଦ୍‌ବ୍ୟତୀତ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପୀଡିତାଙ୍କୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ବରିଷ୍ଠ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଜାହିର ମହମ୍ମଦ ପରିଚାଳନା କରିଥିଲେ।

Share