ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର: ଧରାପଡ଼ିଲେ ଅଭିଯୁକ୍ତ

ଗୋପାଳପୁର,୧୬।୭(ନବୀନ ରାଜ ଆଚାରୀ): ବିଭିନ୍ନ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲାରେ ଗୋଳନ୍ଥରା ଥାନା ପୋଲିସ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ଆନ୍ଦ୍ରପ୍ରଦେଶ ରାଜ୍ୟ ଇଚ୍ଛାପୁର ଅଞ୍ଚଳର କେ. ପ୍ରଦୀପ ରେଡି।

ମିଳିଥିବା ସୂଚନା ମୁତାବକ, ପରିବାର ଲୋକ କୌଣସି କାମ ନେଇ ବାହାରକୁ ଯାଇଥିବା ବେଳେ ନାବାଳିକା ଘରେ ଏକୁଟିଆ ରହିଥିଲେ। ଏହାର ସୁଯୋଗ ନେଇ ଗତ ମାର୍ଚ୍ଚ ୧୭ ତାରିଖରେ ପ୍ରଦୀପ ନାବାଳିକାକୁ ପ୍ରଲୋଭନ ଦେଖାଇ ଅପହରଣ କରି ଚମ୍ପଟ ମାରିଥିଲେ। ନାବାଳିକାଙ୍କ ପରିବାର ଲୋକ ଘରକୁ ଫେରି ଝିଅକୁ ନ ପାଇବାରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ. ୧୫୫/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଶନିବାର ଇଚ୍ଛାପୁର ଅଞ୍ଚଳରେ ପ୍ରଦୀପ ଓ ନାବାଳିକା ବୁଲୁଥିବା ଖବର ପାଇ ଆଇପିଏସ ପ୍ରୋବେଶନ ଅଙ୍କିତ କୁମାର ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଚଢ଼ାଉ କରି ପ୍ରଦୀପଙ୍କୁ କାବୁ କରି ନାବାଳିକା ଉଦ୍ଧାର କରିଥିଲା। ହେଲେ ପ୍ରଦୀପ ବିଭିନ୍ନ ସମୟରେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ପୋଲିସ ନିକଟରେ ନାବାଳିକା ପ୍ରକାଶ କରିଥିଲେ। ପ୍ରଦୀପକୁ ପୋଲିସ ପଚାରାଉଚରା କରିବା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଡାକ୍ତରୀ ମାଇନା କରିବା ସହ ପ୍ରଦୀପଙ୍କୁ ପୋଲିସ ଗିରଫ କରିଥିଲା। ଅନ୍ୟପକ୍ଷେ ସିଆର୍‌ପିସି ୧୬୪ ଧାରା ଅନୁସାରେ ବିଚାରପତିଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି।