Categories: ଜାତୀୟ

ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲା: ଆନ୍ଦୋଳନରେ ସାମିଲ ହେଲା ଆଇଏମ୍‌ଏ

ନୂଆଦିଲ୍ଲୀ,୧୭ା୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ପିଜି ମେଡିକାଲ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ମାମଲା ପ୍ରତିବାଦରେ ରେସିଡେଣ୍ଟ ଓ ଜୁନିୟର ଡାକ୍ତରମାନଙ୍କ ଆନ୍ଦୋଳନ ୫ ଦିନ ହେଲା ଜାରି ରହିଥିବାବେଳେ ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ସେଥିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। ଶନିବାର ଦେଶର ସମସ୍ତ ସରକାରୀ, ଘରୋଇ ଏବଂ କର୍ପୋରେଟ୍‌ ହସ୍ପିଟାଲଗୁଡ଼ିକର ଓପିଡି ଏବଂ ଅଣଜରୁରୀ ସେବା ୨୪ ଘଣ୍ଟା ପାଇଁ ବନ୍ଦ ରଖିବାକୁ ଗୁରୁବାର ଆଇଏମ୍‌ଏ ଆହ୍ବାନ ଦେଇଛି।

ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ବିସ୍ଫୋରକ ରୂପ ଧାରଣ କରିଥିବାବେଳେ ଡାକ୍ତରମାନଙ୍କ କାର୍ଯ୍ୟବନ୍ଦ ଯୋଗୁ ରୋଗୀସେବା ବ୍ୟାହତ ହୋଇଛି। ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନରତ ରେସିଡେଣ୍ଟ ଓ ଜୁନିୟର ଡାକ୍ତରମାନଙ୍କ ଉପରେ ବୁଧବାର ରାତି ଅଧିଆ ଆକ୍ରଣ ପରେ ଆଇଏମ୍‌ଏ ଏହାର ରାଜ୍ୟ ଶାଖାଗୁଡ଼ିକ ସହ ଜରୁରୀ ବୈଠକ କରିଥିଲା। ତଦନୁଯାୟୀ ୧୭ ତାରିଖରେ ୨୪ ଘଣ୍ଟିଆ ଅଣଜରୁରୀ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ କୌଣସି ଜରୁରୀ ରୋଗୀ ସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି ଆଇଏମ୍‌ଏ କହିଛି।

କର୍ପୋରେଟ୍‌ ହସ୍ପିଟାଲଗୁଡ଼ିକରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ଶନିବାର ସକାଳ ୬ରୁ ରବିବାର ସକାଳ ୬ ପର୍ଯ୍ୟନ୍ତ ଓପିଡି ଏବଂ ଅନ୍ୟାନ୍ୟ ଅଣଜରୁରୀ ସେବା ବନ୍ଦ ରଖିବାକୁ ଅନୁରୋଧ କରାଯାଇଥିବା ଆଇଏମ୍‌ଏର ଜାତୀୟ ଅଧ୍ୟକ୍ଷ ଡ. ଆର୍‌.ଭି. ଅଶୋକନ୍‌ କହିଛନ୍ତି। ସରକାର ହସ୍ପିଟାଲଗୁଡ଼ିକୁ ସୁରକ୍ଷିତ ଅଞ୍ଚଳ ଘୋଷଣା କରିବା ସହ ସ୍ବାସ୍ଥ୍ୟସେବା କର୍ମଚାରୀମାନଙ୍କ ପାଇଁ କେନ୍ଦ୍ରୀୟ ସୁରକ୍ଷା ଆଇନ ଆଣନ୍ତୁ ବୋଲି ଡ. ଅଶୋକନ କହିଛନ୍ତି। ଦେଶର ସର୍ବବୃହତ୍‌ ଡାକ୍ତର ସଂଗଠନ ଆଇଏମ୍‌ଏରେ ୩.୫ ଲକ୍ଷ ସଦସ୍ୟ ରହିଛନ୍ତି।

Share