Categories: ଖେଳ

ଟାଇସନଙ୍କ ବିରୋଧରେ ବଳାତ୍କାର ମାମଲା

ନ୍ୟୁୟର୍କ,୨୬ା୧(ଏପି): ଜଣେ ମହିଳା ପୂର୍ବତନ ହେଭିଓ୍ବେଟ ବକ୍ସିଂ ଚାମ୍ପିୟନ ମାଇକ୍‌ ଟାଇସନଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ କରିଛନ୍ତି। ମହିଳା ଜଣକ କହିଛନ୍ତି, ୧୯୯୦ ଦଶକ ପ୍ରାରମ୍ଭରେ ନ୍ୟୁୟର୍କର ଆଲବାନୀଠାରେ ଏକ ନାଇଟ୍‌ କ୍ଲବରେ ଟାଇସନଙ୍କ ସହ ତାଙ୍କର ଦେଖାହୋଇଥିଲା। ହେଭିଓ୍ବେଟ ବକ୍ସର ଜଣଙ୍କ ଏକ ଲିମୋସିନ୍‌ କାର୍‌ ଭିତରେ ତାଙ୍କୁ ବଳାତ୍କାର କରିଥିଲେ। ଏହାକୁ ନେଇ ସେ ବର୍ଷ ବର୍ଷ ଧରି ଶାରୀରିକ, ମାନସିକ ଓ ଭାବନାତ୍ମକ ଆଘାତ ପାଇଛନ୍ତି। ଏଥିପାଇଁ ସେ ୫ ନିୟୁତ ଡଲାର କ୍ଷତିପୂରଣ ଦାବି କରିଛନ୍ତି। ମହିଳା ଜଣକ ତାଙ୍କ ସତ୍ୟପାଠରେ ତାଙ୍କୁ କେଉଁ ତାରିଖରେ ଆକ୍ରମଣ ହୋଇଥିଲା ତାହା ଉଲ୍ଲେଖ କରିନାହାନ୍ତି। ଏହା ୧୯୯୦ ଦଶକ ପ୍ରାରମ୍ଭରେ ହୋଇଥିଲା ବୋଲି କେବଳ ଦର୍ଶାଇଛନ୍ତି। ସେହିପରି ସୁନ୍ଦରୀ ପ୍ରତିଯୋଗିତାର ଜଣେ ପ୍ରତିଯୋଗୀ ଡେସିରି ଓ୍ବାଶିଂଟନ ଅଭିଯୋଗ କରିଥିଲେ ଯେ ଟାଇସନ ତାଙ୍କୁ ଇଣ୍ଡିଆନାପଲିସ୍‌ରେ ବଳାତ୍କାର କରିଥିଲେ। ଓ୍ବାଶିଂଟନଙ୍କୁ ୧୯୯୨ ଫେବୃୟାରୀ ୧୦ରେ ବଳାତ୍କାର କରିଥିବା ଅଭିଯୋଗରେ ଟାଇସନଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ହୋଇଥିଲା। ବ୍ରୁକ୍‌ଲିନ୍‌ରେ ଜନ୍ମଗ୍ରହଣ କରିଥିବା ୫୬ ବର୍ଷୀୟ ଟାଇସନ ୧୯୮୭ରୁ ୧୯୯୦ ପର୍ଯ୍ୟନ୍ତ ଅପ୍ରତିଦ୍ୱନ୍ଦ୍ୱୀ ବିଶ୍ୱ ହେଭିଓ୍ବେଟ୍‌ ଚାମ୍ପିୟନ ଥିଲେ। କିନ୍ତୁ ରିଙ୍ଗ୍‌ ବାହାରେ ତାଙ୍କ ଜୀବନ ଅଶାନ୍ତ ରହିଥିଲା। ଅଭିନେତ୍ରୀ ସ୍ତ୍ରୀ ରବିନ ଗିଭେନ୍ସ ଟାଇସନଙ୍କ କାର୍ଯ୍ୟକଳାପରେ ବ୍ୟତିବ୍ୟସ୍ତ ହୋଇ ଶେଷରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ।

Share