ଫିରିଙ୍ଗିଆ ଥାନାଧିକାରୀଙ୍କ ନାଁରେ ବଳାତ୍କାର ମାମଲା

ଭୁବନେଶ୍ୱର,୫ା୨(ସତ୍ୟଜିତ୍‌ ରାଉତ): ଗଞ୍ଜାମ ଜିଲା ପାଟପୁର ଥାନାର ପୂର୍ବତନ ଥାନାଧିକାରୀ ରମେଶ ପ୍ରଧାନଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଜଣେ ମହିଳା ଏସ୍‌ଆଇଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ରମେଶ ବର୍ତ୍ତମାନ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଧିକାରୀ ଅଛନ୍ତି। ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଶୁକ୍ରବାର ରମେଶଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରିଛି। ୨୦୧୯ରେ ପୀଡିତା ଏସ୍‌ଆଇ ଜଣକ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରି ନ ଥିଲା। ଏହାକୁ ନେଇ ସେ ଏନ୍‌ଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ଡିଜିପି ଅରୁଣ ଷଡ଼ଙ୍ଗୀ ସୋମବାର ସୂଚନା ଦେଇଛନ୍ତି। ଥାନାଧିକାରୀ ରମେଶ ପ୍ରଧାନ ପାଟପୁରରେ ଥିବାବେଳେ ତାଙ୍କ ବିରୋଧରେ ଅଧସ୍ତନ ଜଣେ ମହିଳା ଏସ୍‌ଆଇ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଜଣେ ମହିଳା ଡିଏସ୍‌ପିଙ୍କୁ ତଦନ୍ତ ଭାର ଦିଆଯାଇଥିବା ଡିଜିପି କହିଛନ୍ତି।
ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ ଅନୁଯାୟୀ, ଗଞ୍ଜାମ ଜିଲା ପାଟପୁର ଥାନାରେ କାମ କରୁଥିବାବେଳେ ମହିଳା ଏସ୍‌ଆଇ ଜଣକ ଥାନାଧିକାରୀ ରମେଶଙ୍କ ନିର୍ଯାତନାର ଶିକାର ହୋଇଥିଲେ। ରମେଶ ତାଙ୍କ କ୍ୟାର୍ଟର୍ସରେ ବଳପୂର୍ବକ ଶାରୀରିକ ସମ୍ପର୍କ ରଖୁଥିଲେ। ଏନେଇ ମହିଳା ଏସ୍‌ଆଇ ଜଣକ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ସେ ତାଙ୍କୁ ଚୁପ୍‌ ରହିବାକୁ କହିଥିଲେ। ଏ ସଂକ୍ରାନ୍ତରେ ୨୦୧୯ ନଭେମ୍ବର ୯ରେ ଗଞ୍ଜାମ ପାଟପୁର ଥାନାରେ ସେ ଏତଲା ଦେଇଥିଲେ। ହେଲେ ଏନେଇ ପୋଲିସ ମାମଲା ରୁଜୁ ହୋଇ ନ ଥିଲା। ତେଣୁ ମହିଳା ଜଣକ ଶେଷରେ ଏନ୍‌ଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଥିଲେ।

Share