ମହିଳାଙ୍କୁ ଲିଫ୍ଟ ଦେବା ଆଳରେ କାର୍‌ ଭିତରେ ବଳାତ୍କାର

ଲକ୍ଷ୍ନୌ,୯ା୭: ଉତ୍ତରପ୍ରଦେଶର କୌଶମ୍ବୀ ଜିଲାରେ ଜଣେ ମହିଳାଙ୍କୁ ଲିଫ୍ଟ ଦେବା ବାହାନା କରି କାର୍‌ ଭିତରେ ମୁଣ୍ଡରେ ବନ୍ଧୁକ ଲଗାଇ ବଳାତ୍କାର କରିଥିବା ମାମଲା ସାମ୍ନାକୁ ଆସିଛି। ବଳାତ୍କାର ଅଭିଯୋଗ ମଝାନପୁର ମ୍ୟୁନିସିପାଲିଟି ପରିଷଦର ବିଏସ୍‌ପି ପ୍ରାର୍ଥୀ ଥିବା ଦଶରଥ ସରୋଜଙ୍କ ପୁଅ ଧନଞ୍ଜୟ ସରୋଜଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମହିଳାଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ମଞ୍ଜାନପୁର କୋଟଓ୍ବାଲୀ ଅଞ୍ଚଳର।

ପୀଡ଼ିତା ମହିଳା ଜଣଙ୍କ ପ୍ରୟାଗରାଜର ବାସିନ୍ଦା। ସେ କହିଛନ୍ତି, ସେ ନବୋଦୟ ବିଦ୍ୟାଳୟ ଟେନଓ୍ବାରେ ନିଜ ପିଲାଙ୍କ ଆଡମିଶନ କରିବା ପାଇଁ ଜୁଲାଇ ୬ରେ ଯାଇଥିଲେ। ମଝାନପୁର ଛକ ଠାରେ ଏକ ଟ୍ୟାକ୍ସି ପାଇଁ ଅପେକ୍ଷା କରିଥିଲେ। ଯେତେବେଳେ ସେ କାର୍‌ରେ ବସିଥିବା ଯୁବକଙ୍କୁ ବିଦ୍ୟାଳୟକୁ ଯିବାର ବାଟ ପଚାରିଥିଲେ, ସେ କହିଥିଲେ ଯେ ସେ ଏଠାରୁ ବିଦ୍ୟାଳୟକୁ ଯିବାକୁ କୌଣସି ଟ୍ୟାକ୍ସି ପାଇବେ ନାହିଁ। ସେ ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ତାଙ୍କ ସଫାରି କାର୍‌ରେ ବସିବା ପାଇଁ କହିଥିଲେ। ବାଟରେ କହିଥିଲେ ଯେ ମୋର ମାମୁ ବିଏସ୍‌ଏସ୍‌ରେ ପ୍ରଶିକ୍ଷକ ଭାବରେ ପୋଷ୍ଟ ହୋଇଛନ୍ତି ଏବଂ ମୋ’ ବାପା ନିଜେ ମୌଳିକ ଶିକ୍ଷା ବିଭାଗରେ କାର୍ଯ୍ୟ କରୁଛନ୍ତି। ସେ ତୁରନ୍ତ ତାଙ୍କ ପିଲାଙ୍କ ଆଡମିଶନ କରିବେ। ସେ ମହିଳାଙ୍କୁ ତାଙ୍କ ନାମ, ଠିକଣା ଏବଂ ମୋବାଇଲ ନମ୍ବର ମଧ୍ୟ ଦେଇଥିଲେ। ଏହା ପରେ ସେ ଏକ ନିଛାଟିଆ ଅଞ୍ଚଳରେ କାରକୁ ଅଟକାଇ ମହିଳାଙ୍କୁ ବଳାତ୍କାର କରିଥିବା ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଏହା ପରେ ସେ ତାଙ୍କୁ ଜଙ୍ଗଲରେ ଛାଡ଼ି ଫେରାର ହୋଇଯାଇଛନ୍ତି। ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି।

Share