ନୂଆଦିଲ୍ଲୀ, ୧୧ା୧୦: ହାଥ୍ରସ ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ଉତ୍ତରପ୍ରଦେଶ ପୋଲିସ ଓ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ସାରା ଦେଶରେ ସମାଲୋଚନା ଥମିନାହିଁ। ଏଭଳି ସ୍ଥିତିରେ ବଳାତ୍କାର, ଯୌନ ନିର୍ଯାତନା ଆଦି ମହିଳା ବିରୋଧୀ ଅପରାଧ ମାମଲାର ତଦନ୍ତରେ ପୋଲିସର ବିଫଳତା ପ୍ରତି ଗୁରୁତ୍ୱ ଦେବାକୁ କେନ୍ଦ୍ର ସରକାର ଶନିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ବଳାତ୍କାର ମାମଲାର ତଦନ୍ତ ୨ ମାସ ମଧ୍ୟରେ ଶେଷ କରିବାକୁ କୁହାଯାଇଛି।
ମହିଳାଙ୍କୁ ଯୌନ ନିର୍ଯାତନା ସହ ଜଡିତ ଆଇନ ତଥା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଏବଂ ଏଥିରେ ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।
ଶନିବାର ଜାରି କରାଯାଇଥିତ୍ବା ଆଡଭାଇଜରିରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅପରାଧ ଦଣ୍ଡ ସଂହିତା(ସିଆର୍ପିସି) ଅନୁଯାୟୀ କେତେକ ପଦକ୍ଷେପକୁ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ମହିଳାଙ୍କ ପ୍ରତି ଯୌନ ଅପରାଧ ସମ୍ବନ୍ଧୀୟ ଅଭିଯୋଗ ଉପରେ ବାଧ୍ୟତାମୂଳକ ଭାବେ ଏଫ୍ଆଇଆର ପଞ୍ଜୀକରଣ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଏପରି କି କୌଣସି ଥାନାର ସୀମା ବାହାରେ ଘଟୁଥିବା ଅପରାଧ ସମ୍ପର୍କରେ ସୂଚନା ମିଳିଲେ ‘ଜିରୋ ଏଫ୍ଆଇଆର୍’ କରିବା ପାଇଁ ପୋଲିସକୁ ଆଇନ କ୍ଷମତା ଦେଇଥିବା ଦର୍ଶାଯାଇଛି। ଆଡଭାଇଜରିରେ ଆଉ ୨ଟି ବାଧ୍ୟତାମୂଳକ ପଦକ୍ଷେପକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ତାହା ହେଲା ବଳାତ୍କାର କିମ୍ବା ଯୌନ ନିର୍ଯାତନା ମାମଲାର ତଦନ୍ତ ୬୦ ଦିନ ମଧ୍ୟରେ ଶେଷ କରିବା ଏବଂ ପୀଡ଼ିତାଙ୍କ ସହମତି ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ତାଙ୍କର ଡାକ୍ତରୀ ପରୀକ୍ଷା କରିବା। ଏହାସହ ଫରେନସିକ ପରୀକ୍ଷା ପାଇଁ ଆବଶ୍ୟକ ପ୍ରମାଣ ନିମନ୍ତେ ଯୌନ ନିର୍ଯାତନା ପ୍ରମାଣ ସଂଗ୍ରହ (ଏସ୍ଏଇସି) କିଟ୍ ବ୍ୟବହାର ଏବଂ ବାରମ୍ବାର ଯୌନ ଅପରାଧ ଘଟାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଓ ଠାବ କରିବା ଲାଗି ଉର୍ଦ୍ଦିଷ୍ଟ ଜାତୀୟ ଡାଟାବେସ୍(ଆଇଟିଏସ୍ଏସ୍ଓ)କୁ ବ୍ୟବହାର କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି।
ମହିଳାଙ୍କ ସୁରକ୍ଷାକୁ ନେଇ ଅନ୍ୟ ରାଜ୍ୟରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଗତ ସପ୍ତାହରେ ଝାଡଖଣ୍ଡ ହାଇକୋର୍ଟ ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ଦୁର୍ବଳ ତଦନ୍ତ ପାଇଁ ରାଜ୍ୟ ପୋଲିସକୁ ତାଗିଦ କରିଥିଲେ। ଗତ ମାସରେ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏନ୍ସିଆରବି) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୧୯ରେ ଭାରତରେ ପ୍ରତିଦିନ ହାରାହାରି ୮୭ଟି ବଳାତ୍କାର ମାମଲା ରେକର୍ଡ କରାଯାଇଥିଲା, ଯାହା ୨୦୧୮ଠାରୁ ୭%ରୁ ଅଧିକ। ୨୦୧୮ରେ ମଧ୍ୟ ଏଭଳି ମାମଲା ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଥିଲା। ୨୦୧୭ରେ ୩୨,୫୫୯ ମାମଲା ଏବଂ ୨୦୧୮ରେ ୩୩,୩୫୬ ବଳାତ୍କାର ମାମଲା ଦେଶରେ ରୁଜୁ ହୋଇଥିଲା।
କେନ୍ଦ୍ରର ଆଡଭାଇଜରିରେ ଦର୍ଶାଯାଇଛି ଯେ, ଦେଶରେ ଆପରାଧିକ ମାମଲା, ବିଶେଷକରି ମହିଳା ବିରୋଧୀ ମାମଲାରେ ନ୍ୟାୟ ଦେବା ଲାଗି ଆଇନରେ କଠୋର ବ୍ୟବସ୍ଥା ଏବଂ ଅନେକ ଦକ୍ଷତା ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ଏ ଦିଗରେ ବାଧ୍ୟତାମୂଳକ ଆବଶ୍ୟକତା ପାଳନ କରିବାରେ ପୋଲିସର ବିଫଳତା ଲୋକଙ୍କୁ ନ୍ୟାୟ ପ୍ରଦାନରେ ସହାୟକ ହେବ ନାହିଁ। ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଆଡଭାଇଜରିରେ ଉଲ୍ଲେଖ ରହିଛି।