କ୍ୱାଲାଲୁମ୍ପୁର,୧୮।୮: ନିଜର ଦୁଇ ନାବାଳିକା ଝିଅଙ୍କୁ ବଳାତ୍କାର ଅଭିଯୋଗରେ କୋର୍ଟ ଜଣେ ମାଲେସୀୟଙ୍କୁ ୭୦୨ ବର୍ଷ ଜେଲ ସହ ୨୩୪ ବେତ ପାହାର ଦଣ୍ଡାଦେଶ ଶୁଣାଇଛନ୍ତି। ସାଉଥ୍ ଚାଇନା ମର୍ନିଂ ପୋଷ୍ଟର ତଥ୍ୟ ଅନୁସାରେ ୫୩ ବର୍ଷୀୟ ଅଭିଯୁକ୍ତ ଜଣଙ୍କ ୨୦୧୮ରୁ ୨୦୨୩ ମଧ୍ୟରେ ଦୁଇ ନାବାଳିକାଙ୍କୁ ୩୦ଥର ବଳାତ୍କାର କରିଥିଲେ। ଜୋହର ସହରର ମୁଆର ଅଞ୍ଚଳରେ ଏଭଳି ଜଘନ୍ୟକାଣ୍ଡ ଘଟିଥିଲା। ଏହି କାରଣରୁ ଦୁଇ ଝିଅଙ୍କ ମଧ୍ୟରୁ ଜଣେ ଗର୍ଭବତୀ ହୋଇଥିଲେ। ଦୁଇ ନାବାଳିକାଙ୍କ ଉପରେ ଏଭଳି ଅମାନବୀୟ ଅତ୍ୟଚାର ହୋଇଥିବାଯୋଗୁ ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ ଲାଗି ପ୍ରତିପକ୍ଷ ଓକିଲ ଯୁକ୍ତି କରିଥିଲେ। ଅପରପକ୍ଷେ ଦଣ୍ଡ କୋହଳ କରିବା ଲାଗି ଅଭିଯୁକ୍ତ ଅପିଲ କରିଥିଲେ ସୁଦ୍ଧା କୋର୍ଟ ତା’କୁ ଅଗ୍ରାହ୍ୟ କରିଦେଇଥିଲେ। ଏଭଳି ଅପରାଧ ଅତ୍ୟନ୍ତ ଗମ୍ଭୀର ବୋଲି କୋର୍ଟ କହିଥିଲେ।