୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି ଗଣବଳାତ୍କାର ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ପୀଡିତାଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ପଠାଇଛନ୍ତି। ଏହି ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ପୋଲିସ ତାର ତଦନ୍ତ କରୁଛି। ମାମଲା (ନଂ ୭୪୨/୨୪)ରୁଜୁ ହୋଇଛି।
ଶନିବାର ସାରେ ଦୁଇ ଜଣ ନାବାଳିକା ରାଉରକେଲାକୁ ଚପଲ କିଣିବାକୁ ଆସିଥିଲେ। ବସ ଷ୍ଟାଣ୍ଡ ନିକଟରେ ଦୁଇ ଜଣଙ୍କୁ ଏକୁଟିଆ ଦେଖି ୩ ଜଣ ଯୁବକ ଉଭୟଙ୍କୁ ଏକ ଅଟୋରେ ବଳପୂର୍ବକ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାର ନାବାଳିକାଙ୍କୁ ମାଡ ମାରି , ଧମକାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏପରିକି ଏହି କଥା ପ୍ରଘଟ କଲେ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ପୀଡିତା କହିଛନ୍ତି। ପୀଡିତା ନାବାଳିକା ଦ୍ୱୟ ଏ ବାବଦରେ ମାଲ ଗୋଦାମ ଅଞ୍ଚଳରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଖବର ଦେବା ପରେ ପ୍ଲାଣ୍ଟ ସାଇଟ ଥାନାରେ ଏତଲା ଦିଆଯାଇଥିଲା।