ବାଲିକୁଦା,୧୩।୭(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ବାଲିକୁଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ରବିବାର ପୁରୀ ଜିଲା ଚନ୍ଦ୍ରଭାଗା ଥାନା ଅନ୍ତର୍ଗତ ରାମଚଣ୍ଡୀଠାରେ ବଳାତ୍କାର କରାଯାଇଛି। ଗାଈ ମୃତ୍ୟୁ ଦୋଷ ନ ଲାଗିବା ପାଇଁ ପୁରୀ ଯାଉଥିବାବେଳେ ଅଧାବାଟରେ ସ୍ବାମୀଙ୍କ ବନ୍ଧୁ ତାଙ୍କୁ ବଳାତ୍କାର କରିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ସୋମବାର ବାଲିକୁଦା ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଏଥିସହ ଘଟଣା ଘଟିଥିବା ଥାନାରେ ଆଉ ଅଭିଯୋଗ କରିବାକୁ ପୀଡିତାଙ୍କୁ ପୋଲିସ ପରାମର୍ଶ ଦେଇଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଘରେ କିଛି ଦିନ ତଳେ ଏକ ଗାଈର ମୃତ୍ୟୁ ହୋଇଥିଲା। ଦୋଷ ଛଡ଼ାଇବା ପାଇଁ ପରିବାର ଲୋକଙ୍କୁ ପୁରୀ ଯାଇ କର୍ମ ସମ୍ପାଦନ କରିବାକୁ କୁହାଯାଇଥିଲା। ଏନେଇ ଅଭିଯୁକ୍ତ ଏକ ବାଇକ୍ରେ ସମ୍ପୃକ୍ତା ମହିଳା ଓ ତାଙ୍କ ସ୍ବାମୀଙ୍କୁ ନେଇ ରବିବାର ପୁରୀ ଯାଇଥିଲେ। ମାତ୍ର କୌଣସି କାରଣରୁ ଅଧାବାଟରୁ ଫେରି ଆସିଥିଲେ। ଫେରିବା ବାଟରେ ରାମଚଣ୍ଡୀଠାରେ ଅଭିଯୁକ୍ତ ଗାଡ଼ି ଅଟକାଇ ମହିଳାଙ୍କ ସ୍ବାମୀଙ୍କୁ ମଦ ପିଆଇଥିଲେ। ନିଶାରେ ସ୍ବାମୀ ଅଚେତ ହୋଇଯିବା ପରେ ସମ୍ପୃକ୍ତା ମହିଳାଙ୍କୁ ଅଭିଯୁକ୍ତ ବଳାତ୍କାର କରିଥିଲେ। ଘରେ ପହଞ୍ଚତ୍ବା ପରେ ଘଟଣା ସମ୍ପର୍କରେ ମହିଳା ଜଣକ ସ୍ବାମୀଙ୍କୁ ଜଣାଇଥିଲେ। ଏନେଇ ଗଁାରେ ଆଲୋଚନା ହୋଇଥିଲା। ମାତ୍ର କୌଣସି ସମାଧାନ ନ ହେବାରୁ ଶେଷରେ ସମ୍ପୃକ୍ତା ମହିଳା ବାଲିକୁଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଥାନା ଅଧିକାରୀ ବିପିନ କୁମାର ସାହୁ କହିଛନ୍ତି, ଘଟଣାଟି ଚନ୍ଦ୍ରଭାଗା ଥାନା ଅଞ୍ଚଳରେ ହୋଇଥିବାବେଳେ ସେଠାରେ ଅଭିଯୋଗ କରିବାକୁ ପୀଡ଼ିତାଙ୍କୁ କୁହାଯାଇଛି।