କେନ୍ଦୁଝର,୬ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଫାଷ୍ଟ୍ ଟ୍ରାକ୍ କୋର୍ଟରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ମାନସ ମିଶ୍ର ଶୁଣାଣି କରି ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡିତ କରିଛନ୍ତି।
ପ୍ରକାଶ ଯେ, ତୁରୁମୁଙ୍ଗା ଥାନା ଅଞ୍ଚଳର ଖଗେଶ୍ୱର ପାତ୍ର (୨୯) ଜଣେ ନାବାଳିକାଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର କରିଥିଲେ। ନାବାଳିକା ଗର୍ଭବତୀ ହେବାପରେ ମେଡିସିନ ଦେଇ ଗର୍ଭ ନଷ୍ଟ କରିଦେଇଥିଲେ। ଏ ସମ୍ପର୍କରେ ନାବାଳିକା ତୁରୁମୁଙ୍ଗୁା ଥାନାରେ ଏତଲା ଦେଇଥିଲେ। ପୋଲିସ (ନଂ.୧୨/୨୦୧୮)ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୧୨ ଜଣ ସାକ୍ଷୀଙ୍କ ବୟାନ ସହ ଫରେନ୍ସିକ ତଥ୍ୟକୁ ଆଧାର କରି ୩୭୬(୨)(ଏନ) ଦଫାରେ କୋର୍ଟ ଉକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ପୀଡ଼ିତାଙ୍କୁ ଆଇନ ସହାୟତା କେନ୍ଦ୍ର ତରଫରୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ଆଦେଶ ଦିଆଯାଇଛି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ଜ୍ଞାନେନ୍ଦ୍ର ନାଥ ଜେନା ମାମଲା ପରିଚାଳନା କରୁଥିଲେ।