ଝଡ଼ାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର

ମୋରଡା,୨୮ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଘଟିଛି। ଶରୀର ଆରୋଗ୍ୟ ପାଇଁ ଝଡ଼ାଫୁଙ୍କା ବାହାନାରେ ଜଣେ ଗୁଣିଆ ଜନୈକା ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ପୋକ୍‌ସୋ ଆକ୍ଟରେ ଏକ ମାମଲା(ନଂ.୨୯୯/୨୨) ରୁଜୁ କରି ତଦନ୍ତ ଚଳାଇଛି। ଗିରଫ ଭୟରେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ୩ ଦିନ ତଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଉକ୍ତ ନାବାଳିକାଙ୍କ ଦେହ ଅସୁସ୍ଥ ଥିଲା। ତାଙ୍କ ବାପା ଝଡ଼ାଫୁଙ୍କା ପାଇଁ ସ୍ଥାନୀୟ ଅଞ୍ଚଳରେ ଘର ଜ୍ୱାଇଁ ହୋଇ ରହିଥିବା ଆନନ୍ଦ ବାରିକ ନାମକ ଜଣେ ଗୁଣିଆ ପାଖକୁ ନେଇଥିଲେ। ଗୁଣିଆ ୨ଘଣ୍ଟା ଝଡ଼ାଫୁଙ୍କା କରିବା ପରେ ମଧ୍ୟ ନାବାଳିକାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା l
ତେବେ ଠାକୁରଙ୍କ ପାଖକୁ ନେଇଗଲେ ଦେହ ସୁସ୍ଥ ହେବ ବୋଲି ଗୁଣିଆ ଜଣକ ନାବାଳିକାଙ୍କ ବାପାଙ୍କୁ କହିଥିଲେ। ବୁଧବାର ଉକ୍ତ ନାବାଳିକା ସ୍କୁଲ ଯାଉଥିବା ବେଳେ ସମ୍ପୃକ୍ତ ଗୁଣିଆ ତାଙ୍କୁ ସାଇକେଲରେ ବସାଇ ନେଇ ଏକ ନିଛାଟିଆ ସ୍ଥାନରେ ବଳାତ୍କାର କରିଥିଲେ। ତେବେ ଝିଅ ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କ ବାପା ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହ ମୋରଡ଼ା ଥାନାରେ ଏତଲା ଦେଇଥିଲେ। ଗୁରୁବାର ସକାଳେ ଗୁଣିଆ ଜଣକ ଉକ୍ତ ନାବାଳିକାଙ୍କୁ ମାକୁନ୍ଦ ହାଟ ଛକକୁ ଛାଡ଼ିବା ପାଇଁ ଆସିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଅଟକ ରଖି ପଚରାଉଚୁରା କରିବାରୁ ସେ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। ପରେ ନାବାଳିକାଙ୍କ ବାପା ତାଙ୍କ ଝିଅକୁ ଗୁଣିଆ ଜଣକ ବଳାତ୍କାର କରିଥିବା ନେଇ ଅଭିଯୋଗ କରିଥିବା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ କହିଛନ୍ତି।