Categories: ଜାତୀୟ

ନାବାଳିକାଙ୍କୁ ମର୍ସିଡିଜ୍‌ରେ ଗଣବଳାତ୍କାର

ହାଇଦ୍ରାବାଦ,୪।୬: ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପବ୍‌ ପାର୍ଟିରୁ ଫେରୁଥିବା ଜଣେ ନାବାଳିକାଙ୍କୁ ମର୍ସିଡିଜ୍‌ କାର୍‌ ଭିତରେ ଗଣବଳାତ୍କାର କରାଯାଇଛି। ବଳାତ୍କାର କରିଥିବା ସ୍କୁଲ ଛାତ୍ରମାନଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଥିବା ଅଭିଯୋଗ ହୋଇଛି। କହିବା ଅନୁସାରେ ୫ ଅଭିଯୁକ୍ତ ରାଜନୈତିକ ପ୍ରଭାବଶାଳୀ ପରିବାରର। ସେମାନେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ନ୍ତି। ଜଣେ ବିଧାୟକଙ୍କ ପୁଅ ମଧ୍ୟ ଏହି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ଅଛନ୍ତି। ଶନିବାର ସନ୍ଧ୍ୟାରେ ୧୭ ବର୍ଷୀୟା ଝିଅ ଜଣେ ସାଙ୍ଗ ସହ ଏକ ପବ୍‌ ପାର୍ଟିକୁ ଯାଇଥିଲେ। ତାଙ୍କ ସାଙ୍ଗ ସେଠାରୁ ଶୀଘ୍ର ଚାଲିଯାଇଥିଲେ। ତେଣୁ ସେ ଅନ୍ୟ କେତେଜଣ ଛାତ୍ରଙ୍କ ସହ କ୍ଲବ୍‌ରୁ ଫେରିଥିଲେ। ଛାତ୍ରମାନେ ତାଙ୍କୁ ଘରେ ଛାଡ଼ିଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେମାନେ ଏକ ମିଠା ଦୋକାନକୁ ଯାଇ ସେଠାରୁ ଫେରୁଥିବାବେଳେ ୫ ଅଭିଯୁକ୍ତ ଜୁବିଲି ହିଲ୍ସରେ ମର୍ସିଡିଜ୍‌ କାର୍‌ ଅଟକାଇଥିଲେ। କାର୍‌ ଭିତରେ ପୀଡ଼ିତାଙ୍କୁ ଜଣେ ପରେ ଜଣେ ବଳାତ୍କାର କରିବା ବେଳେ ଅନ୍ୟମାନେ ବାହାରେ ଜଗି ରହିଥିଲେ। ଘରେ ଝିଅଙ୍କ ଦେହରେ କ୍ଷତଚିହ୍ନ ଦେଖି ତାଙ୍କ ବାପା ସେନେଇ ପଚାରିଥିଲେ। ପୀଡ଼ିତା ତାଙ୍କୁ ସବୁ କଥା କହିବାରୁ ବାପା ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତମାନେ ବଡ଼ବଡ଼ିଆଙ୍କ ପୁଅ ହୋଇଥିବାରୁ ପୋଲିସ ପ୍ରଥମେ ମର୍ଯ୍ୟାଦାହାନି ମାମଲା ରୁଜୁ କରିଥିଲା। କିନ୍ତୁ ପୀଡ଼ିତା ବିସ୍ତୃତ ବୟାନ ଦେବା ପରେ ଶିଶୁଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ଏବଂ ଆଇପିସି ଦଫା ୩୭୬ ବଳରେ ବଳାତ୍କାର ମାମଲା ରୁଜୁ ହେଲା। ନାବାଳକମାନଙ୍କୁ କ୍ଲବ୍‌କୁ କାହିଁକି ପ୍ରବେଶ ଅନୁମତି ଦିଆଗଲା ବୋଲି ଏହି ଘଟଣା ପରେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ପୋଲିସ ସିସିଟିଭି କ୍ୟାମେରା ଓ ପାରିପାର୍ଶ୍ୱିକ ପ୍ରମାଣ ଭିତ୍ତିରେ ତଦନ୍ତ ଚଳାଇଥିବା କହିଛି।

Share