ପାଟନା, ୧୫।୭- ମହାମାରୀ କରୋନା ଭାଇରସ୍ ଭାରତରେ ଗମ୍ଭୀର ରୂପ ଧାରଣ କରିଛି। ଦେଶରେ ଦୈନିକ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଭଳି ଏକ ସଙ୍କଟଜନକ ସମୟରେ ବିହାରର ସର୍ବବୃହତ ସରକାରୀ ହସ୍ପିଟାଲ ପାଟାଳୀପୁତ୍ର ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ (ପିଏମ୍ସିଏଚ୍)ରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସୁରକ୍ଷାକର୍ମୀ ଆଇସୋଲେଶନ ଓ୍ବାର୍ଡରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିଛନ୍ତି। ଏହି ଘଟଣାରେ ପୋଲିସ ହସ୍ପିଟାଲର ଜଣେ ସୁରକ୍ଷାକର୍ମୀଙ୍କୁ ଗିରଫ କରିଛି। ପାଟଣାର ପିରବରୋହ ଥାନା ଅନ୍ତର୍ଗତ ପିଏମ୍ସିଏଚ୍ ମେଡିକାଲରେ ଏହି ଘଟଣା ଘଟିଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ଜୁଲାଇ ୮ରେ ଜଣେ ନାବାଳିକାଙ୍କୁ ସ୍ଥାନୀୟ ରେଳ ଲାଇନ୍ କଡ଼ରୁ ପାଟଣା ଚାଇଲ୍ଡ ହୋମ୍ ବିଭାଗ ଉଦ୍ଧାର କରିଥିଲା। ଏହାପରେ ତାଙ୍କୁ ଚିକିତ୍ସା କରିବା ଲାଗି ମେଡିକାଲକୁ ଆଣିଥିଲା। ସେଠାରେ ନାବାଳିକାଙ୍କୁ ରଖାଯାଇ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ମହେଶ ପ୍ରସାଦ ନାମକ ଜଣେ ସୁରକ୍ଷାକର୍ମୀ ଗତ ରାତି ୨ଟାରେ ନାବାଳିକା ଜଣଙ୍କୁ ଆଇସୋଲେଶନ ଓ୍ବାର୍ଡର ବାଥ୍ରୁମକୁ ନେଇଯାଇ ସେଠାରେ ତାଙ୍କୁ ବଳାତ୍କାର କରିଥିଲା। ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ସୁରକ୍ଷାକର୍ମୀଙ୍କୁ ଗିରଫ କରିଛି।