୮୦ଦିନ ଧରି ମହିଳାଙ୍କୁ ବଳାତ୍କାର

ଜଳେଶ୍ୱର, ୭ା୫(ଡି.ଏନ.ଏ.): ଶାଶୁଘର ଲୋକଙ୍କ ଚକ୍ରାନ୍ତରେ ଫଶିଯାଇଛନ୍ତି ଜଣେ ମହିଳା। ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ତାନ୍ତ୍ରିକଙ୍କ ଦ୍ୱାରା ମହିଳାଙ୍କୁ ଅପହରଣ କରାଯାଇ ଏକ ପରିତ୍ୟକ୍ତ ଘରେ ୮୦ ଦିନ ଧରି ବଳାତ୍କାର କରାଯିବା ଘଟଣା ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉକ୍ତ ମହିଳା ରାଇବଣିଆ ଥାନା ଅଞ୍ଚଳରେ ୪ବର୍ଷ ପୂର୍ବେ ବିବାହ କରିଥିଲେ। ମହିଳାଙ୍କ ସ୍ବାମୀ ଅନ୍ୟତ୍ର ଏକ ଦୋକାନ କରି ସେଠାରେ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିବା ପରେ ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ବିବାହର ୬ମାସ ପରେ ଅଧିକ ଯୌତୁକ ଦାବିରେ ଶାଶୁଘର ପକ୍ଷରୁ ତାଙ୍କୁ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ତାଙ୍କ ଶାଶୁ ଚକ୍ରାନ୍ତ କରି ପୁଅ-ବୋହୂ ମଧ୍ୟରେ ସୁସମ୍ପର୍କ ସ୍ଥାପନର ପ୍ରତିଶ୍ରୁତି ଦେଇ ଭୋଗରାଇ ଥାନା କଖଡ଼ା ପଞ୍ଚାୟତର ଏକ ମୁସଲମାନ ବସ୍ତିକୁ ନେଇଯାଇଥିଲେ। ସେଠାରେ ତାନ୍ତ୍ରିକ ସେକ୍‌ ସରାଫ କେତେକ ପୂଜାର୍ଚ୍ଚନା କରିବା ସହିତ ଶାଶୁ ଓ ଅଢେଇବର୍ଷର ଶିଶୁପୁତ୍ର ଆଗରେ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପରେ ଶାଶୁ ବୁଝାଇଶୁଝାଇ ମହିଳାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ। କିଛି ଦିନ ପରେ ଶାଶୁ ଚାକିରି କରାଇଦେବାର ବାହାନାରେ ବୋହୂଙ୍କୁ ବାପଘରୁ ଡକାଇ ଆଣିଥିଲେ। ପୂର୍ବରୁ ବାଟରେ ପ୍ରସ୍ତୁତ ହୋଇ ରହିଥିବା ତାନ୍ତ୍ରିକଜଣକ ମହିଳା ଓ ତାଙ୍କ ଅଢେଇ ବର୍ଷର ପୁଅକୁ ଅପହରଣ କରିନେଇ ମୋରଡା ଥାନା ବଇଞ୍ଚାଡିହା ଗ୍ରାମର ଏକ ପରିତ୍ୟକ୍ତ ଘରେ ତାଲା ମାରି ରଖିଥିଲେ। ୮୦ଦିନ ଧରି ତାନ୍ତ୍ରିକ ଜଣକ ସେଠାରେ ମହିଳାଙ୍କୁ ବଳାତ୍କାର କରିଥିଲେ। ଘଟଣା ପ୍ରକାଶ କଲେ ପୁଅକୁ ହତ୍ୟା କରିଦେବାକୁ ତାନ୍ତ୍ରିକ ବାରମ୍ବାର ଧମକ ଦେଉଥିବାରୁ ମହିଳାଜଣକ ବାଧ୍ୟ ହୋଇ ଚୁପ୍‌ ରହିଥିଲେ। ମାତ୍ର ତାନ୍ତ୍ରିକଜଣକ ଭୁଲକ୍ରମେ ମୋବାଇଲ ଛାଡିଯାଇଥିବାରୁ ମହିଳାଜଣକ ଫୋନ କରି ତାଙ୍କ ବାପ ଘରକୁ ଖବର ଦେଇଥିଲେ। ଅନ୍ୟପକ୍ଷରେ ମହିଳାଜଣକ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ ବାପଘର ପକ୍ଷରୁ ପୂର୍ବରୁ ଜଳେଶ୍ୱର ଥାନା ଓ ଏସ୍‌ଡିପିଓଙ୍କୁ ଦିଆଯାଇଥିଲା ା ମୋରଡା ଥାନା ପୋଲିସ ବନ୍ଦ କୋଠରୀରୁ ମହିଳା ଓ ତାଙ୍କ ପୁଅକୁ ଉଦ୍ଧାର କରି ଜଳେଶ୍ୱର ଥାନାକୁ ପଠାଇଛି ା ଜଳେଶ୍ୱର ଥାନାରେ ଏନେଇ ଏକ ମାମଲା(ନଂ.୧୬୯/୨୨) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

Share