ଇଞ୍ଜିନିୟରିଂ କଲେଜରେ ଚାକିରି ଦେବାକୁ କହି ମହିଳାଙ୍କୁ ବଳାତ୍କାର

ବାରଙ୍ଗ,୯ା୭(ଡି.ଏନ.ଏ)-ଚାକିରି ଦେବାକୁ କହି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ମେଣ୍ଡାଶାଳ ଫାଣ୍ଡିରେ ଗୁରୁବାର ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଚନ୍ଦକା ଥାନାରେ ନଂ.୧୨୦/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଫାଣ୍ଡି ଅଧୀନରେ ଜଣେ ମହିଳା ଚାକିରି ସନ୍ଧାନରେ ଥିଲେ। ଏହି ସମୟରେ ଜଟଣୀ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପରିଚୟରେ ଆସିଥିଲେ। ବ୍ୟକ୍ତି ଜଣକ ଛତାବର ନିକଟ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଚାକିରି କରାଇଦେବେ ବୋଲି ମହିଳାଙ୍କୁ କହିଥିଲେ। ଏଥିପାଇଁ ତାଙ୍କୁ ସୋମବାର ଉକ୍ତ କଲେଜକକୁ ଡାକିଥିବାରୁ ପୁଅ ସହ ମହିଳା ଜଣକ ଯାଇଥିଲେ। ତେବେ ତାଙ୍କ ପୁଅ ବାହାରେ ରହିଥିଲେ। ପରେ ମହିଳା ଜଣକ ଉକ୍ତ ବ୍ୟକ୍ତିଙ୍କ ସହ କଲେଜର ତିନି ମହଲା ଉପରକୁ ଯାଇଥିଲେ। ଜଣେ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନେଇ ଜବରଦସ୍ତ ବଳାତ୍କାର କରିବା ସହ କାହାକୁ ଜଣାଇଲେ ମାରିଦେବାର ଧମକ ଦେଇଥିଲେ। ସେଠାରୁ ଆସି ଘରେ ମାନସିକ ଦୁଶ୍ଚିନ୍ତାରେ ରହିବା ସହ ଶାରୀରିକ ଅସୁସ୍ଥତା ଅନୁଭବ କରିବାରୁ ବୁଧବାର ପୁଅଙ୍କୁ ସବୁ କଥା କହିଥିଲେ। ଏ ନେଇ ପୁଅ ଫାଣ୍ଡିରେ ଅଭିଯୋଗ କରିଥିଲେ। ପରେ ଫାଣ୍ଡି ଅଧିକାରୀ ଥାନାରେ ଲିଖିତ ଭାବେ ଜଣାଇବାକୁ କହିଥିଲେ।

Share