ଚଳନ୍ତା ଟ୍ରେନ୍‌ରେ ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀଙ୍କୁ ଗଣବଳାତ୍କାର

ମୁମ୍ବାଇ,୯ା୧୦: ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ଜଣେ ମହିଳାଙ୍କୁ ଗଣବଳାତ୍କାର ହୋଇଥିବା ଖବର ସାମ୍ନାକୁ ଆସିଛି। ଏପରି ନିନ୍ଦନୀୟ ଘଟଣା ଶୁକ୍ରବାର ରାତିରେ ଘଟିଛି।

ସୂଚନାଯୋଗ୍ୟ, ଇଗତପୁରୀ-କସାରା ମଧ୍ୟରେ ୮ ଦୁର୍ବୃତ୍ତ ଟ୍ରେନ୍‌ର ବଗି ନଂ-୨ରେ ଚଢ଼ିଥିଲେ। ଏହି ବଗିରେ ଥିବା ଯାତ୍ରୀମାନଙ୍କଠାରୁ ସମସ୍ତ ଜିନିଷ ଲୁଟିଥିଲେ। ଘାଟି ଅଞ୍ଚଳ ହୋଇଥିବାରୁ ଯାତ୍ରୀମାନେ କାହାଠାରୁ କୌଣସି ସହାୟତା ପାଇ ପାରି ନ ଥିଲେ। ଏହି ଲୁଟ୍‌ପାଟ ସମୟରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ଯାଉଥିଲେ। ତାଙ୍କୁ ଦୁର୍ବୃତ୍ତମାନେ ଗଣବଳାତ୍କାର ମଧ୍ୟ କରିଥିଲେ। ଏଥିରେ ଭୟଭୀତ ହୋଇପଡ଼ିଥିଲେ ସ୍ବାମୀ ଜଣକ।

କସାରା ଷ୍ଟେଶନରେ ପହଞ୍ଚିବା ପରେ ଯାତ୍ରୀମାନେ ରେଲଓ୍ବେକୁ ସହାୟତା ମାଗିଥିଲେ। ମୁମ୍ବାଇ ଜିଆରପି ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଜିଆରପି କମିଶନର କେଶର ଖାଲିଦ କହିଛନ୍ତି, ୮ ଦୁର୍ବୃତ୍ତ ଟ୍ରେନ୍‌ରେ ଚଢ଼ିଥିଲେ। ସେମାନେ ପ୍ରଥମେ ଯାତ୍ରୀଙ୍କଠାରୁ ଲୁଟ୍‌ପାଟ କରିଥିଲେ। ପରେ ଜଣେ ମହିଳା ଯେ କି ତାଙ୍କ ସ୍ବାମୀଙ୍କ ସହ ଯାତ୍ରା କରୁଥିଲେ ସେମାନେ ତାଙ୍କୁ ଗଣବଳାତ୍କାର କରଛନ୍ତି। ଭାରତୀୟ ରେଳ ଆକ୍ଟ ଅନୁଯାୟୀ, କେସ ନଂ ୩୭ ଏବଂ ୧୫୩ରେ ମାମଲା ରୁଜୁ କରାଯାଇଛି। ଏହି ଆଧାରରେ ୮ ଜଣଙ୍କ ମଧ୍ୟରୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୪ ଜଣ ଫେରାର ଥିବା ଜିଆରପି କମିଶନର କହିଛନ୍ତି।

Share