କଲେଜ ଛାତ୍ରୀଙ୍କୁ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ବ୍ରହ୍ମପୁର,୧୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ବଡ଼ବଜାର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ଛାତ୍ରୀଙ୍କୁ ଉଦ୍ଧାର କରିଛି। ଶନିବାର ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଏମକେସିଜି ମେଡିକାଲରେ ଡାକ୍ତରୀମଇନା କରାଯାଇଛି। କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଟାଉନ ଥାନା ଅନ୍ତର୍ଗତ ଗେଟବଜାର ଲକ୍ଷ୍ମୀନଗରର ଅମିତ ମହାନ୍ତି। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ପୋଲିସ କହିଛି।

ଅମିତ ଯୁକ୍ତ-୩ରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିଲେ। ଛାତ୍ରୀ ଜଣକ କଲେଜ ଯାଉଥିବା ବେଳେ ତାଙ୍କୁ ଅପହରଣ କରି ନେଇ ଏକ ଘରେ ରଖିଥିଲେ। ଏହାପରେ ଥଣ୍ଡା ପାନୀୟରେ ନିଶା ଦେଇ ଅଚେତ କରି ଅସଂଯତ ଅବସ୍ଥାର ଫଟୋ ଓ ଭିଡିଓ କରିଥିଲେ। ପରେ ଫଟୋକୁ ଭାଇରାଲ କରିବା ଭୟ ଦେଖାଇ ଛାତ୍ରୀଙ୍କୁ ବାରମ୍ବାର ବଳାତ୍କାର କରିଥିଲେ। ଏପରିକି ତାଙ୍କ ଇଛା ବିରୋଧରେ ତାଙ୍କୁ ଭୁବନେଶ୍ୱର ନେଇ ବିବାହ କରିଥିଲେ। ଭଉଣୀ ନିଖୋଜ ଥିବା ନେଇ ଛାତ୍ରୀଙ୍କ ଭାଇ ଗତ ଜୁଲାଇ ମାସରେ ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଯୁବତୀଙ୍କୁ ଉଦ୍ଧାର କରିଥିଲା। ପରେ ଛାତ୍ରୀଙ୍କ ବୟାନ ଆଧାରରେ ପୋଲିସ ଏକ ବଳାତ୍କାର ମମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Share